ଆଇପିଏଲ୍‌ର ୬୫ତମ ମ୍ୟାଚ୍‌: ମୁମ୍ବାଇକୁ ପରାସ୍ତ କଲା କୋଲକାତା

ଆଇପିଏଲ୍‌ର ୬୫ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୪ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ତା’ ସହିତ ତ୍ରୟୋଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ଏବଂ ଗୋଟିଏ ବାତିଲ ମ୍ୟାଚ୍‌ରୁ ୧ ପଏଣ୍ଟ୍‌ ସହ ମୋଟ ଉପରେ ୧୩ ପଏଣ୍ଟ୍‌ ପାଇ ନିଜ ପ୍ଲେ’ ଅଫ୍‌ ଆଶାକୁ ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଲଜ୍ଜାଜନକ ପ୍ରଦର୍ଶନ କରି ସେହି ତ୍ରୟୋଦଶ ମ୍ୟାଚ୍‌ରୁ ନବମ ପରାଜୟ ବରଣ କରିଛି। ପୂର୍ବରୁ ମୁମ୍ବାଇ ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିସାରିଥିବାରୁ ସଂପ୍ରତି କେବଳ ସମ୍ମାନର ସହ ଅଭିଯାନ ଶେଷ କରିବାକୁ ସଂଘର୍ଷ କରୁଛି।

ଆଜି ମୁମ୍ବାଇ ମାତ୍ର ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ କୋଲକାତା ୭ ବଲ୍‌ ପୂର୍ବରୁ ୬ ୱିକେଟ୍‌ ହରାଇ ହାସଲ କରି ନେଇଥିଲା। କୋଲକାତା ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦୁଇ ଓପନର୍‌ ରୋହିତ ଶର୍ମା ଓ ରିୟାନ ରିକେଲଟନ୍‌ ପୂରା ନିରାଶ କରିବା ସହ ମୁମ୍ବାଇ ୨୩ ରନ୍‌ରେ ୩ ୱିକେଟ୍‌ ହରାଇ ଘୋର ସଂଘର୍ଷ କରିଥିଲା। ଅଭିଜ୍ଞ ସୂର୍ଯ୍ୟକୁମାର ଯାଦବ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଦୃଷ୍ଟିରୁ କୋଲକାତା ବୋଲର୍‌ମାାନଙ୍କୁ ଏହି ଦଳ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଥିଲା। ହେଲେ ସେମିତି କିଛି ହୋଇ ନଥିଲା। ମୁମ୍ବାଇର ଶୀର୍ଷକ୍ରମ ପୁଣି ଥରେ ନିରାଶ କରିବା ସହ ଉଭୟ ସୂର୍ଯ୍ୟକୁମାର (୧୫) ଓ ହାର୍ଦିକ (୨୬) ବି ସେମିତି କିଛି ଆଖିଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ। ବରଂ କୋଲକାତା ବୋଲର୍‌ମାନେ ନିଜ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନିଷ୍ପତ୍ତିକୁ ଠିକ୍‌ ବୋଲି ପ୍ରମାଣିତ କରି କେବଳ ନିୟମିତ ବ୍ୟବଧାନରେ ୱିକେଟ୍‌ ଝାଡ଼ି ନଥିଲେ, ମୁମ୍ବାଇର ରନ୍‌ ଗତିକୁ ମଧ୍ୟ ପୂରା ନିୟନ୍ତ୍ରଣରେ ରଖିଥିଲେ। କର୍ବିନ ବସ୍‌ଙ୍କ ବିଳମ୍ବିତ ଆକ୍ରମଣ ପାଇଁ ‌‌ଶେଷ ଦୁଇ ଓଭରରୁ ୩୨ ରନ୍‌ କରିବା ଛଡ଼ା ନିଜର ପୂରା ପାଳିରେ ମୁମ୍ବାଇ ଗୋଟିଏ ଗୋଟିଏ ରନ୍‌ ପାଇଁ ସଂଘର୍ଷ କରିଥିଲା। ସୌରଭ ଦୁବେ, କ୍ୟାମେରନ୍‌ ଗ୍ରିନ୍‌ ଓ କାର୍ତ୍ତିକ ତ୍ୟାଗୀଙ୍କ ଶାଣିତ ବୋଲିଂ ପାଇଁ କୋଲକାତା ଶେଷରେ ମୁମ୍ବାଇକୁ ୧୪୭/୮ରେ ଅଟକାଇ ଦେଇଥିଲା।

Leave a comment