ଉତ୍ତର ପ୍ରଦେଶରେ ଏବେ ସପ୍ତାହରେ ଦୁଇ ଦିନ ୱାର୍କ ଫ୍ରମ ହୋମ କରିବା ପାଇଁ ନିୟମ ଲାଗୁ

ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ବିଶ୍ୱବ୍ୟାପୀ ଇନ୍ଧନ ସମସ୍ୟା ଦେଖାଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ଦିଲ୍ଲୀ ପରେ ଉତ୍ତର ପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାଇବା ତଥା ସମ୍ଭାବ୍ୟ ଶକ୍ତି ସଙ୍କଟର ମୁକାବିଲା ପାଇଁ ଏବେ ସପ୍ତାହରେ ଦୁଇ ଦିନ ୱାର୍କ ଫ୍ରମ ହୋମ କରିବା ପାଇଁ ନିୟମ ଲାଗୁ କରାଯାଇଛି । ଏହାସହିତ ଅଲଗା ଅଲଗା ସିଫ୍ଟରେ ଅଫିସ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ଶ୍ରମ ବିଭାଗ ବୈଠକରେ ନିଷ୍ପତ୍ତି ରାଜ୍ୟର ପ୍ରମୁଖ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀମାନେ ସପ୍ତାହକୁ ଦୁଇ ଦିନ ଅଫିସ ନଆସି ଘରୁ କାମ କରିପାରିବେ । କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ଗହଳି ଏବଂ ଯାତାୟତ ନିୟନ୍ତ୍ରଣ କରିବା ପାଇଁ ଅଲଗା ଅଲଗା ସିଫ୍ଟ ବ୍ୟବସ୍ଥା କରାଯିବ । ଏହି ନୂତନ ନିୟମ କେବଳ କର୍ପୋରେଟ୍ ଅଫିସ୍ ନୁହେଁ, ବରଂ ରାଜ୍ୟର ବଡ଼ ବଡ଼ ଶିଳ୍ପ ସଂସ୍ଥା ଏବଂ ଶିଳ୍ପ କାରଖାନା ଗୁଡ଼ିକରେ ମଧ୍ୟ କାର୍ଯ୍ୟକାରୀ ହେବ। ଶ୍ରମ ବିଭାଗର ବୈଠକରେ ଗାଇଡଲାଇନ ଜାରି କରାଯାଇଛି । ଏହାସହିତ ପବ୍ଲିକ ଟ୍ରାନ୍ସପୋର୍ଟକୁ ବ୍ୟବହାର କରିବା ପାଇଁ ଜୋର ଦେଇଛନ୍ତି ।

ଗତ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅପିଲ୍ କରିଥିଲେ । ଯେଉଁଥିରେ ପେଟ୍ରୋଲ-ଡିଜେଲ ବଞ୍ଚାଇବା, ସୁନା ନ କିଣିବା, ୱାର୍କ ଫ୍ରମ ହୋମ କରିବାକୁ ଅପିଲ୍ କରିଥିଲେ । ଏହାପରେ ଦିଲ୍ଲୀ ସରକାର ପଦକ୍ଷେପ ନେଇଥିଲେ । ଆଉ ଏବେ ଉତ୍ତରପ୍ରଦେଶ ସରକାର ଏହାକୁ ଲାଗୁ କରିଛନ୍ତି ।

Leave a comment