ଶ୍ରୀମନ୍ଦିରରେ ପୁଣି ନୀତି ବିଶୃଙ୍ଖଳା ,ସାବିତ୍ରୀ ଅମାବାସ୍ୟାରେ ଜଳକ୍ରୀଡ଼ା ପରେ ରାତି ଅନିଦ୍ରା ରହିଲେ ବିଶ୍ୱନିଅନ୍ତା
ଶ୍ରୀମନ୍ଦିରରେ ପୁଣି ନୀତି ବିଶୃଙ୍ଖଳା। ସାବିତ୍ରୀ ଅମାବାସ୍ୟାରେ ଜଳକ୍ରୀଡ଼ା ପରେ ରାତି ଅନିଦ୍ରା ରହିଲେ ବିଶ୍ୱନିଅନ୍ତା। ଏ ସମସ୍ୟାକୁ ନେଇ ୩୫ ଜଣ ପାଳିଆ ସେବକଙ୍କୁ ନେଇ କମିଟି ହୋଇଛି, ବାରମ୍ବାର ବୈଠକ ବସୁଛି। ତଥାପି କାହିଁକି ବିଳମ୍ବିତ ହେଉଛି ବଡ଼ଠାକୁରଙ୍କ ନୀତି, ତାକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ଆଗକୁ ରଥଯାତ୍ରା ଥିବାରୁ ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ଭିତରେ କିଭଳି ସୁରୁଖୁରୁରେ ନୀତି କରାଯିବ, ତାକୁ ନେଇ ବଢ଼ିଛି ଚିନ୍ତା ।
ଦୀର୍ଘଦିନ ଦିନ ଧରି ବିଳମ୍ୱିତ ରାତି ପର୍ଯ୍ୟନ୍ତ ହୋଇପାରୁନି ମହାପ୍ରଭୁଙ୍କ ପହୁଡ଼ ନୀତି । ଗୋବିନ୍ଦ ଦ୍ବାଦଶୀ ହେଉ କି ଚନ୍ଦନ ଯାତ୍ରା ସବୁଥର ବଡ଼ଠାକୁରଙ୍କ ନୀତିରେ ହେଉଛି ବିଭ୍ରାଟ। ଗୋବିନ୍ଦ ଦ୍ୱାଦଶୀ ତିଥିରେ ୪ ଘଣ୍ଟା ବିଳମ୍ବରେ ବାହାରିଲା ମହାପ୍ରସାଦ । ଚନ୍ଦନ ଯାତ୍ରା ବେଳେ ବିବାଦ ଯୋଗୁ ଚାପ ନଖେଳି ଶ୍ରୀମନ୍ଦିର ଫେରିଥିଲେ ଚଳନ୍ତି ପ୍ରତିମା । ଆଉ ଏବେ ସାବିତ୍ରୀ ଅମାବାସ୍ୟାରେ ଭିତର ଚନ୍ଦନ ଯାତ୍ରା ନୀତି ବିଳମ୍ବ ଯୋଗୁଁ ରାତିସାରା ଅନିଦ୍ରା ରହିଛନ୍ତି ଚକାଆଖି ।
ଶନିବାର ରାତି ୮ଟା ୫ ବେଳକୁ ଜଳକ୍ରୀଡ଼ା ନୀତି ସରିଥିଲା । ସନ୍ଧ୍ୟାଧୂପ ସରିବା ବେଳକୁ ରାତି ଗୋଟାଏ ୧୫ ହୋଇଥିଲା । ପରେ ପଣା ଭୋଗ ହୋଇ ବଡ଼ସିଂହାର ଭୋର୍ ୪ଟା ୨୪ରେ ହୋଇଥିଲା । ପହୁଡ଼ ପାଇଁ ଅନ୍ତତଃ ଦୁଇ ଘଣ୍ଟା ଦରକାର ଥିବା ବେଳେ ନୀତି ଅଧିକ ଥିବାରୁ ଠାକୁରଙ୍କ ପହୁଡ଼ ନୀତି ହୋଇପାରିନଥିଲା । ଶ୍ରୀମନ୍ଦିରରେ ବର୍ଷ ବର୍ଷ ଧରି ଲାଗି ରହିଛି ନୀତି ବିଳମ୍ବ ଓ ବିଶୃଙ୍ଖଳା। ନୀତି ସୁରୁଖୁରୁରେ କରିବା ପାଇଁ ୩୫ ଜଣ ପାଳିଆ ସେବକଙ୍କୁ ନେଇ କମିଟି ଗଠନ ହୋଇଛି । ୧୫ ଦିନରେ ଥରେ ବୈଠକ ବି ବସୁଛି । ତଥାପି କେଉଁଠି ନା କେଉଁଠି ସମନ୍ବୟ ଅଭାବରୁ ଏଭଳି ବିଭ୍ରାଟ ହେଉଛି । ତେବେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦୋଷ ଲଦିଛନ୍ତି ସେବାୟତ। ସେପଟେ ଠାକୁରଙ୍କ ନୀତି ତ୍ବରାନ୍ବିତ ପାଇଁ ସେବାୟତଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଆଗକୁ ରଥଯାତ୍ରା ଥିବାରୁ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କିଭଳି ନୀତିକୁ ଶୃଙ୍ଖଳିତ କରାଯାଇ ପାରିବ, ତାହା ହିଁ ଶ୍ରୀମନ୍ଦିର ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ।