ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ,ସେପଟେ ଆଣ୍ଡାମାନ ଛୁଇଁଛି ମୌସୁମୀ
ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ। ଆସନ୍ତା ୨ ଦିନ ପରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ବର୍ତ୍ତମାନ ଗରମ ଓ ଗୁଳୁଗୁଳି ବଢ଼ିଛି। ରବିବାର ରାଜ୍ୟର ୯ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ହୀରାକୁଦ ୪୧.୫, ଝାରସୁଗୁଡ଼ା ୪୧.୪, ସମ୍ବଲପୁର ୪୧.୪, ଭବାନୀପାଟଣା ୪୧, ଅନୁଗୁଳ ୪୧.୧, ତାଳଚେର ୪୦.୨, ଟିଟିଲାଗଡ଼ ୪୦.୨, ସୋନପୁର ୪୦.୩, ନୟାଗଡ଼ ୪୦ ଡିଗ୍ରୀ ତାତିରେ ସିଝିଥିଲା । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭-୩୮ ଡିଗ୍ରୀ ଛୁଇଁଥିଲା । ବାଲେଶ୍ଵର ୩୮, ଚାନ୍ଦବାଲି ୩୮.୮, ଭୁବନେଶ୍ୱର ୩୭.୮ ଡିଗ୍ରୀ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇଥିଲା।
ସେପଟେ ଆଣ୍ଡାମାନ ଛୁଇଁଛି ମୌସୁମୀ। ନିର୍ଦ୍ଧାରିତ ସମୟ ଆଗରୁ ଆଣ୍ଡାମାନ ଛୁଇଁ ଆଗକୁ ବଢ଼ିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ଅନେକ ଅଂଶ, ସମଗ୍ର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀବିଜୟପୁରମକୁ ଛୁଇଁଛି। ଆସନ୍ତା ୨୬ ତାରିଖ ବେଳକୁ କେରଳମରେ ପ୍ରବେଶ କରିପାରେ ମୌସୁମୀ । କାରଣ ବର୍ତ୍ତମାନ ସାମୁଦ୍ରିକ ତାପମାତ୍ରା ଅଧିକ ରହୁଛି। ଯଦିଓ ଏହି ଆକଳନ ୪ ଦିନ ଦିନ ଆଗ ପଛ ହୋଇପାରେ। ସାଧାରଣତଃ ମୌସୁମୀ କେରଳ ଛୁଇଁବାର ସ୍ବାଭାବିକ ସମୟ ଜୁନ୍ ପହିଲା। ଗତବର୍ଷ ମେ’ ୨୪ରେ କେରଳରେ ପହଞ୍ଚିଥିଲା ମୌସୁମୀ।ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଭାବେ ସକ୍ରିୟ ରହିବା ସହ ଦକ୍ଷିଣ ପଶ୍ଚିମ ଓ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଓଡ଼ିଶାରେ ଏହାର ପ୍ରଭାବ ନାହିଁ । କିନ୍ତୁ ଆସନ୍ତା ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ ।