ମାତିଛି ଇବୋଲା ଭାଇରସ,୬୫ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି
କଙ୍ଗୋର ପୂର୍ବ ଇଟୁରି ପ୍ରଦେଶରେ ମାତିଛି ନୂଆ ଭାଇରସ । ଇବୋଲା ସଂକ୍ରମଣରେ ୬୫ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ସାମୁଏଲ୍ ରୋଜର୍ କାମ୍ବା ମୁଲାମ୍ବା ଏକ ବିବୃତିରେ କହିଛନ୍ତି ଯେ ଗୁରୁବାର ପରୀକ୍ଷିତ ନମୁନାରେ ରୱାମ୍ପାରା, ମୋଙ୍ଗୱାଲୁ ଏବଂ ବୁନିଆ ସ୍ୱାସ୍ଥ୍ୟ କ୍ଷେତ୍ରଗୁଡ଼ିକରେ ଇବୋଲା ଭାଇରସର ବୁଣ୍ଡିବୁଗୟୋ ଷ୍ଟ୍ରେନର ଆଠଟି ମାମଲା ନିଶ୍ଚିତ ହୋଇଛି। ଇବୋଲା ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ରକ୍ତ, ବାନ୍ତି, ଲାଳ, ବୀର୍ୟ୍ୟ କିମ୍ବା ଦୂଷିତ ପୃଷ୍ଠ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା ଦ୍ବାରା ଆକ୍ରାନ୍ତଙ୍କଠାରୁ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ। ଏହା କରୋନା ପରି ବାୟୁବାହିତ ନୁହେଁ।
ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ଏହି ଭାଇରସର ୨୪୬ ଜଣ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ସରକାର କହିଛନ୍ତି, ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅପରେସନ୍ କେନ୍ଦ୍ରକୁ ସକ୍ରିୟ କରାଯାଇଛି। ମହାମାରୀ ଏବଂ ପରୀକ୍ଷାଗାର ନିରୀକ୍ଷଣକୁ ସୁଦୃଢ଼ କରାଯିବା ସହିତ ପ୍ରତିକ୍ରିୟା ଦଳଗୁଡ଼ିକୁ ଶୀଘ୍ର ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଫ୍ରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ଏକ ବିବୃତିରେ କହିଛି, ସୀମାପାର ନଜର ରଖିବା, ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ପ୍ରୟାସକୁ ସୁଦୃଢ଼ କରିବା ପାଇଁ କଙ୍ଗୋ, ଉଗାଣ୍ଡା, ଦକ୍ଷିଣ ସୁଦାନ ଏବଂ ବିଶ୍ୱ ଅଂଶୀଦାରମାନଙ୍କ ସହିତ ଏକ ଜରୁରୀ ବୈଠକ ଡକାଉଛି। ୧୯୭୬ ମସିହାରେ କଙ୍ଗୋରେ ପ୍ରଥମ ଥର ପାଇଁ ଇବୋଲା ଚିହ୍ନଟ ହେବା ପରଠାରୁ ଏହା ୧୭ତମ ସଂକ୍ରମଣ ଘଟଣା।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ୫ ମେ’ରେ ସନ୍ଦେହଜନକ ମାମଲା ବିଷୟରେ ଜାଣିବାକୁ ପାଇଥିଲା ଏବଂ ତଦନ୍ତରେ ସାହାଯ୍ୟ କରିବା ପାଇଁ ଇଟୁରିକୁ ଏକ ଦଳ ପଠାଇଥିଲା, କିନ୍ତୁ କ୍ଷେତ୍ରରେ ସଂଗୃହୀତ ନମୁନାଗୁଡ଼ିକ ପ୍ରାରମ୍ଭିକ ଭାବରେ ନେଗେଟିଭ୍ ପରୀକ୍ଷା କରାଯାଇଥିଲା, ଡବ୍ଲୁଏଚ୍ଓ ନିର୍ଦ୍ଦେଶକ-ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ ଶୁକ୍ରବାର ଏକ ପ୍ରେସ୍ ବ୍ରିଫିଂରେ କହିଥିଲେ। କିନ୍ସାସାର ଏକ ପରୀକ୍ଷାଗାର ପଜିଟିଭ୍ ମାମଲାଗୁଡ଼ିକୁ ନିଶ୍ଚିତ କରିଛି ଏବଂ ବର୍ତ୍ତମାନ ମୋଟ ପଜିଟିଭ୍ ମାମଲା ସଂଖ୍ୟା ୧୩ ବୋଲି ଟେଡ୍ରୋସ୍ କହିଛନ୍ତି। ସେ କହିଛନ୍ତି,ଡବ୍ଲୁଏଚ୍ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହାର ଜରୁରୀକାଳୀନ ପାଣ୍ଠିରୁ ୫ ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରିଛି ଯାହାଦ୍ୱାରା ନିରୀକ୍ଷଣ, ସମ୍ପର୍କ ଟ୍ରେସିଂ, ପରୀକ୍ଷାଗାର ପରୀକ୍ଷା ଏବଂ କ୍ଲିନିକାଲ୍ କେୟାର ସମେତ ପ୍ରତିକ୍ରିୟା କ୍ଷେତ୍ରକୁ ଆବଶ୍ୟକ ସହାୟତ ମିଳିପାରିବ।