ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଅସ୍ଥିରତାକୁ ନେଇ ସମସ୍ତଙ୍କୁ ସତର୍କ କରାଇଲେ ମୋଦି , କହିଲେ ବିଶ୍ୱ ପାଇଁ ‘ବିପର୍ଯ୍ୟୟର ଦଶକ’

ନେଦରଲ୍ୟାଣ୍ଡ ଗସ୍ତ ସମୟରେ ହେଗ୍ (The Hague) ଠାରେ ଶନିବାର ଦିନ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଅସ୍ଥିରତାକୁ ନେଇ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି।

ବିଶ୍ୱ ପାଇଁ ‘ବିପର୍ଯ୍ୟୟର ଦଶକ’

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମୟ ମାନବଜାତି ପାଇଁ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ସମୟ। ପ୍ରଥମେ କରୋନା ମହାମାରୀ, ତା’ପରେ ବିଭିନ୍ନ ସ୍ଥାନରେ ଯୁଦ୍ଧ ଏବଂ ଏବେ ଶକ୍ତି ସଙ୍କଟ (Energy Crisis) ବିଶ୍ୱକୁ ଅସ୍ଥିର କରିଦେଇଛି। ସେ ଏହି ସମୟକୁ ‘ବିପର୍ଯ୍ୟୟର ଦଶକ’ (Decade of Disasters) ଭାବେ ବର୍ଣ୍ଣନା କରିଛନ୍ତି।

ଦାରିଦ୍ର୍ୟ ବୃଦ୍ଧିର ଆଶଙ୍କା

ପ୍ରଧାନମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହି ଯୁଦ୍ଧ ଏବଂ ଅସ୍ଥିରତା ଶୀଘ୍ର ଶେଷ ନହୁଏ, ତେବେ ଗତ କିଛି ଦଶକ ମଧ୍ୟରେ ବିଶ୍ୱ ଯେଉଁ ବିକାଶ ହାସଲ କରିଛି, ତାହା ଓଲଟପାଲଟ ହୋଇଯିବ।ବିଶ୍ୱର ଏକ ବଡ଼ ଜନସଂଖ୍ୟା ପୁଣିଥରେ ଦାରିଦ୍ର୍ୟର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବେ। ବିଶ୍ୱର ଅର୍ଥବ୍ୟବସ୍ଥା ଏବଂ ସାଧାରଣ ଲୋକଙ୍କ ଜୀବନଧାରଣ ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ।

ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ପିଏମ ମୋଦୀ ଏକ ସ୍ୱଚ୍ଛ ଏବଂ ଭରସାଯୋଗ୍ୟ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ ଏଭଳି ଏକ ବ୍ୟବସ୍ଥା ଗଠନ ପାଇଁ କାର୍ଯ୍ୟ କରୁଛନ୍ତି, ଯାହା ଭବିଷ୍ୟତର ଯେକୌଣସି ସଙ୍କଟକୁ ସାମ୍ନା କରିବାରେ ସକ୍ଷମ ହେବ।

ଭାରତର ବଦଳୁଥିବା ଭୂମିକା

ପ୍ରଧାନମନ୍ତ୍ରୀ ଭାରତକୁ ଏକ ‘Land of Opportunities’ ଭାବେ ଅଭିହିତ କରି କହିଛନ୍ତି ଯେ, ଆଜିର ଭାରତ କେବଳ ପରିବର୍ତ୍ତନ ଚାହେଁ ନାହିଁ, ବରଂ ସବୁଠାରୁ ଭଲ ଏବଂ ଦ୍ରୁତ ବିକାଶ ଚାହେଁ। ଭାରତ ଆଜି ଟେକ୍ନୋଲୋଜି ଏବଂ ମାନବୀୟ ମୂଲ୍ୟବୋଧର ସମନ୍ୱୟରେ ଆଗକୁ ବଢ଼ୁଛି।

Leave a comment