ପେଟ୍ରୋଲ, ଡିଜେଲ ଖର୍ଚ୍ଚ କମାଇବାକୁ ସିଏମସି ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ସିଏମସି କର୍ମଚାରୀମାନେ ସୋମବାର ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ
ରାଜ୍ୟରେ ଉପୁଜିଛି ତେଲ ସଙ୍କଟ। ଗାଡ଼ିରେ ତେଲ ପକାଇବାକୁ ପେଟ୍ରୋଲ ପମ୍ପମାନଙ୍କରେ ଦେଖିବାକୁ ମିଳୁଛି ଲୋକଙ୍କ ଭିଡ଼ । ଅବଶ୍ୟ ସରକାର କହୁଛନ୍ତି ରାଜ୍ୟରେ ବର୍ତ୍ତମାନ ପାଇଁ ତେଲ ସଙ୍କଟ ନାହିଁ। ହେଲେବି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ସେପଟେ ସରକାରୀ ସ୍ତରରେ ତେଲ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ପେଟ୍ରୋଲ, ଡିଜେଲ ଖର୍ଚ୍ଚ କମାଇବାକୁ ସିଏମସି ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।ଶୁକ୍ରବାର କଟକ ମେୟର ସୁବାଷ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଏଣିକି ପ୍ରତି ସୋମବାର ସିଏମସି କର୍ମଚାରୀମାନେ ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ । ଏହା ବାଦ୍ ରବିବାର ଓ ଛୁଟି ଦିନରେ ମଧ୍ୟ କେହି ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି ସିଏମସି ମେୟର । ଆହୁରି ମଧ୍ୟ ସିଏମସି ସ୍ଥାୟୀ ଭାବେ ୨୦ ପ୍ରତିଶତ ଗାଡ଼ି କମାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛି। ଏହା ସହ ଆଗକୁ ସିଏମସି ସବୁ ପେଟ୍ରୋଲ, ଡିଜେଲ ଗାଡ଼ିକୁ ହଟାଇ ଇଲେକ୍ଟ୍ରିକ୍ ଓ ବ୍ୟାଟେରୀ ଗାଡ଼ି କିଣାଯିବ। ଆସନ୍ତା ଜୁନ୍ ମାସରୁ ସିଏମସି କର୍ତ୍ତୃପକ୍ଷ ଇଲେକ୍ଟ୍ରିକ ଗାଡ଼ି ପାଇଁ ଟେଣ୍ଡର ଆହ୍ୱାନ କରିବ ବୋଲି ମେୟର ସୂଚନା ଦେଇଛନ୍ତି।