ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ତାଙ୍କର ଐତିହାସିକ ୬ ଦିନିଆ ବିଦେଶ ଗସ୍ତ ଆରମ୍ଭ,ପ୍ରଥମ ଗନ୍ତବ୍ୟ ସ୍ଥଳ UAE
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ତାଙ୍କର ଐତିହାସିକ ୬ ଦିନିଆ ବିଦେଶ ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତ କାଳରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ପରି ୫ଟି ଗୁରୁତ୍ୱପୂର୍ଣ୍ଣ ଦେଶ ଗସ୍ତ କରିବେ। ଆଜି ସେ ନିଜର ପ୍ରଥମ ଗନ୍ତବ୍ୟ ସ୍ଥଳ UAE ଅଭିମୁଖେ ରୋନା ହୋଇଛନ୍ତି।
UAE ରେ ରଣନୈତିକ ଆଲୋଚନା
UAE ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, ବିନିଯୋଗ, ଶକ୍ତି ସହଯୋଗ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଆଲୋଚନାର ମୁଖ୍ୟ ଏଜେଣ୍ଡା ରହିଛି। ୨୦୨୨ରେ ସ୍ୱାକ୍ଷରିତ CEPA ଚୁକ୍ତି ପରେ ଭାରତ ଓ UAE ମଧ୍ୟରେ ବାଣିଜ୍ୟ କାରବାର ଦୁଇଗୁଣା ବୃଦ୍ଧି ପାଇଛି।
“ଭାରତ ସହ ଆମର ଗଭୀର ସମ୍ପର୍କ”
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ UAE ର ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରୀମ୍ ଅଲ୍ ହାସିମି ଭାରତ ସହ ଥିବା ସମ୍ପର୍କକୁ ନେଇ ଭାବପ୍ରବଣ ହୋଇଛନ୍ତି। ସେ କହିଛନ୍ତି, “୧୫ ମେ’ ୨୦୨୬ରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ସମସ୍ତେ ଚାହିଁ ରହିଛନ୍ତି। ଆପଣ ଯଦି କୌଣସି ବି ଏମିରେଟ୍ସ ନିବାସୀଙ୍କୁ ପଚାରିବେ, ତେବେ ତାଙ୍କର ଭାରତ ସହ କିଛି ନା କିଛି ସମ୍ପର୍କ ନିଶ୍ଚୟ ଥିବ।” ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି।
ୟୁରୋପୀୟ ଦେଶଗୁଡ଼ିକ ଉପରେ ନଜର
UAE ପରେ ପ୍ରଧାନମନ୍ତ୍ରୀ ୟୁରୋପ ଗସ୍ତ କରିବେ। ଏହି ସମୟରେ ସେ ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମେ’ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ଭାରତର ବୈଦେଶିକ ନୀତି ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଆଶା କରାଯାଉଛି।