ତାଲିମ ବିମାନ କ୍ରାସ୍ ଲ୍ୟାଣ୍ଡିଂ,ପାଇଲଟ୍ ସୁରକ୍ଷିତ

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ପୁଣି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଗୋଟିଏ ବର୍ଷ ମଧ୍ୟରେ ଏହା ଦ୍ବିତୀୟ ବିମାନ ଦୁର୍ଘଟଣା । ପୂର୍ବରୁ ଅଜିତ ପାୱାରଙ୍କର ଏହି ବିମାନ ବନ୍ଦରରେ ପ୍ଳେନ କ୍ରାସ ହେବା ଫଳରେ ପ୍ରାଣହାନୀ ହୋଇଥିଲା । ତେବେ ସେହି ବାରାମତୀ ବିମାନବନ୍ଦର ନିକଟରେ ଆଜି ସକାଳେ ‘ରେଡ୍ ବାର୍ଡ ଆଭିଏସନ୍’ (Red Bird Aviation) ର ଏକ ତାଲିମ ବିମାନ କ୍ରାସ୍ ଲ୍ୟାଣ୍ଡିଂ କରିଛି। ତେବେ ସୌଭାଗ୍ୟବଶତଃ ବିମାନରେ ଥିବା ଏକମାତ୍ର ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି।

କେମିତି ଘଟିଲା ଦୁର୍ଘଟଣା?

ପୁଣେ ପୋଲିସ ଅଧୀକ୍ଷକ ସନ୍ଦୀପ ସିଂ ଗିଲ୍ଙଙ୍କ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ବାରାମତୀ ବିମାନବନ୍ଦର ସଂଲଗ୍ନ ଗୋଜୁବାଭି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିମାନଟି କମ୍ ଉଚ୍ଚତାରେ ଉଡ଼ୁଥିବା ସମୟରେ ହଠାତ୍ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। କ୍ରାସ୍ ଲ୍ୟାଣ୍ଡିଂ କରିବା ସମୟରେ ବିମାନଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ତଳେ ପଡ଼ିଯାଇଥିଲା।

ସୁରକ୍ଷିତ ଅଛନ୍ତି ପାଇଲଟ୍

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିବା ପୂର୍ବରୁ ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନରେ କେବଳ ଜଣେ ପ୍ରଶିକ୍ଷାର୍ଥୀ ପାଇଲଟ୍ ଥିଲେ ଏବଂ ତାଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ। ପୋଲିସ ପକ୍ଷରୁ ତାଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ପଠାଯାଇଛି।

ତଦନ୍ତ ନିର୍ଦ୍ଦେଶ

ଘଟଣାସ୍ଥଳରେ ପୁଣେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିମାନଟି କେଉଁ କାରଣରୁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେଲା ଏବଂ ଦୁର୍ଘଟଣା ପଛର ପ୍ରକୃତ କାରଣ କ’ଣ, ସେ ନେଇ ନାଗରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କୁ ଅବଗତ କରାଯାଇଛି। ବିମାନର କ୍ଷୟକ୍ଷତି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।

Leave a comment