ମେ’ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଗ୍ରସ୍ତ, ବିଶ୍ୱର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ କରିବେ ଆଲୋଚନା

ଆସନ୍ତା ମେ’ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଗସ୍ତ କରିବେ। ସୋମବାର ବେଜିଂ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କର ଏହା ପ୍ରଥମ ଚୀନ୍ ଗସ୍ତ। ଏହି ଅବସରରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ଏବଂ ବିଶ୍ୱର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ।

ଇରାନ ଯୁଦ୍ଧ ପାଇଁ ଘୁଞ୍ଚିଥିଲା ଗସ୍ତ

ପୂର୍ବରୁ ମାର୍ଚ୍ଚ ମାସରେ ଟ୍ରମ୍ପ ଚୀନ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଇରାନ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ଚୀନ୍ର ମଧ୍ୟସ୍ଥତାରେ ଇରାନ ସହ ଆଲୋଚନା ପାଇଁ ପଥ ପରିଷ୍କାର ହୋଇଥିବା ବେଳେ ଟ୍ରମ୍ପଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

କ’ଣ ରହିଛି ଗସ୍ତର ମୁଖ୍ୟ ଏଜେଣ୍ଡା?

ବାଣିଜ୍ୟିକ ସମ୍ପର୍କ:ଆମେରିକା ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ଶୁଳ୍କ ବିବାଦ (Tariff War) ର ସମାଧାନ ପାଇଁ ଉଭୟ ନେତା ଆଲୋଚନା କରିବେ। ଆମେରିକା ଏକ ସ୍ୱତନ୍ତ୍ର ବାଣିଜ୍ୟ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇପାରେ।

ଖଣିଜ ସମ୍ପଦ ଓ ବ୍ୟବସାୟିକ ଚୁକ୍ତି: ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟବହୃତ ଦୁର୍ଲଭ ଖଣିଜ ପଦାର୍ଥ (Rare Earth Minerals) ପାଇଁ ଚୀନ୍ ସହ ଚୁକ୍ତି ହୋଇପାରେ। ଏଥିସହ ଚୀନ୍ ଆମେରିକାରୁ ବୋଇଂ ବିମାନ ଓ କୃଷିଜାତ ଦ୍ରବ୍ୟ କିଣିବା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ଇଲେକ୍ଟ୍ରିକ୍ ଗାଡ଼ି ଓ AI: ଚୀନ୍ର ପ୍ରତିଷ୍ଠିତ ଇଲେକ୍ଟ୍ରିକ୍ ଗାଡ଼ି କମ୍ପାନୀ ‘BYD’ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ କଟକଣା କୋହଳ କରିବାକୁ ବେଜିଂ ପ୍ରସ୍ତାବ ଦେଇପାରେ।

ତାଇୱାନ ପ୍ରସଙ୍ଗ: ତାଇୱାନକୁ ଆମେରିକାର ସାମରିକ ସହାୟତାକୁ ନେଇ ଚୀନ୍ ନିଜର ଅସନ୍ତୋଷ ପ୍ରକାଶ କରିପାରେ। ସେହିପରି ପରମାଣୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି।

ଇରାନ ପ୍ରସଙ୍ଗରେ ଚୀନର ଭୂମିକା

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦକୁ ଶାନ୍ତ କରିବାରେ ଚୀନ୍ ପରୋକ୍ଷରେ ମଧ୍ୟସ୍ଥି ଭାବେ କାମ କରୁଛି। ନିକଟରେ ଇରାନ ବୈଦେଶିକ ମନ୍ତ୍ରୀ ଚୀନ୍ ଗସ୍ତ କରିଥିବା ବେଳେ ଏହା ଟ୍ରମ୍ପଙ୍କ ଗସ୍ତ ପାଇଁ ଏକ ମୂଳଦୁଆ ସଦୃଶ ହୋଇଛି।

ଟ୍ରମ୍ପଙ୍କ ଏହି ତିନି ଦିନିଆ ଗସ୍ତ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଚଳିତ ବର୍ଷ ଶେଷ ଆଡ଼କୁ ୱାଶିଂଟନ୍ ଗସ୍ତ କରିବାର ସମ୍ଭାବନା ରହିଛି। ଏହି ଶିଖର ସମ୍ମିଳନୀ ଉପରେ ଏବେ ସାରା ବିଶ୍ୱର ନଜର ରହିଛି।

Leave a comment