ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ
ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମେ ୧୧ରୁ ୧୩ ତାରିଖ ଭିତରେ ଦକ୍ଷିଣ-ପଶ୍ଚିମରୁ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଧିକ । ମେ’ ମାସ ମଧ୍ୟଭାଗରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତଥାପି ଏହା ବାତ୍ୟା ରୂପ ନେବ କି ନା, ତାକୁ ନେଇ ଅନିଶ୍ଚିତତା ରହିଛି ।
ସମୁଦ୍ର ପୃଷ୍ଠର ତାପମାତ୍ରା (୩୦-୩୧ ଡିଗ୍ରୀ) ଓ ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଆର୍ଦ୍ରତା (୬୫–୭୫%) ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ସ୍ଥିତି ରହିଛି । ବଡ଼ ବାତ୍ୟା ପାଇଁ ଭର୍ଟିକାଲ ୱିଣ୍ଡ ସିଅର ଓ ଏମେଜଓ ଭଳି କାରଣ ଯୋଗୁ ବାତ୍ୟାର ପ୍ରଭାବ ରହୁଛି । କିନ୍ତୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହେବାରେ ଅନେକ କାରକ ବାଧା ସୃଷ୍ଟି କରିପାରେ ବୋଲି ସେ ଆକଳନ କରିଛନ୍ତି । ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀର ଅଗ୍ରଗତି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ରାଜ୍ୟରେ ମେ ମାସ ମଧ୍ୟ ଭାଗରେ କାଳବୈଶାଖୀ, ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ପବନ ଓ ବର୍ଷା ପରିମାଣ ବଢ଼ିପାରେ । ଉପକୂଳ ଜିଲ୍ଲାରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ଗତି ବଢ଼ିପାରେ । ପୁଣି ଅସମ୍ଭାଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ ବୋଲି ସେ କହିଛନ୍ତି ।ସୋମବାର କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୧୨ ଓ ୧୩ ତାରିଖରେ ମଧ୍ୟ ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ। ଆଜି ରାଜ୍ୟର ସବୁଠି ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ନୂଆପଡ଼ାରେ ସର୍ବାଧିକ ୩୯ ଓ ସୋନପୁରରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଅପରାହ୍ନରେ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ବର୍ଷା ହୋଇଛି।