ବାଲିଅନ୍ତା ଭିଡ଼ ହତ୍ୟା , ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି
କଣାସ ଓ ହିଞ୍ଜିଳି ପରେ ବାଲିଅନ୍ତା ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ସବୁ ଆଡୁ ସମାଲୋଚିତ ହେବା ପରେ ଏବେ ଆକ୍ଟିଭ ମୋଡ୍ରେ ପୋଲିସ । ଶୁକ୍ରବାର ୫ ଗିରଫ । ଶନିବାର ୬ ଗିରଫ । ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ଘଟଣାରେ ଆଉ ୬ ଗିରଫ । ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି । ପୂର୍ବରୁ ୫ ଜଣଙ୍କୁ ଗିରଫ କରି ଝାରପଡା ଜେଲ୍ ପଠାଇଛି ପୋଲିସ ।
ଡ଼ିସିପିଙ୍କ ସୂଚନା ଅନୁସାରେ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ମାନେ ଯୁବକଙ୍କୁ ମାଡ଼ ମାରିଛନ୍ତି ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୋଟ ଏହି ମାମଲାରେ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି।
ତେବେ ଘଟଣାଦିନ ସୌମ୍ୟଙ୍କ ସହ ଥିବା ସାଙ୍ଗ ଓମ୍ ପ୍ରକାଶ ମୁହଁ ଖୋଲିଛନ୍ତି । ଶନିବାର ଓମ୍ ବିଭିନ୍ନ ଗଣମାଧ୍ୟମରେ ଦେଇଛନ୍ତି ବିସ୍ଫୋରକ ବୟାନ। ସେଦିନ କଣ ଘଟିଥିଲା ? ସେ ସମସ୍ତ ଘଟଣା ଗଣମାଧ୍ୟମଙ୍କ ଆଗରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପୋଲିସ ସାମ୍ନାରେ ମନଇଚ୍ଛା ପିଟି ଚାଲିଥିଲେ ଲୋକେ । ପୋଲିସ ଚାହିଁଥିଲେ ସୌମ୍ୟଙ୍କ ମୃତ୍ୟୁ ହୋଇନଥାନ୍ତା । ଉପସ୍ଥିତ ଥିଲେ ୬୦ କିନ୍ତୁ ମାରୁଥିଲେ ୧୨ ଜଣ । ସୌମ୍ୟରଞ୍ଜନ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ମିଥ୍ୟା । ଯାହା ମାମଲାକୁ ଆହୁରି ଗୋଳମାଳିଆ କରିଦେଇଛି । କିଏ ସତ କହୁଛି କିଏ ମିଛ କହୁଛି ତାକୁ ନେଇ ସନ୍ଦେହ ବଢୁଛି ।
ସେପଟେ ଘଟଣାର ଦିନକ ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡା ହେବ । ଯେଉଁମାନେ ଜଘନ୍ୟ ହତ୍ୟାକାଣ୍ଡରେ ସାମିଲ ସେମାନଙ୍କୁ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । କର୍ମର ଫଳ ପାଇବେ ଅପରାଧୀ । ରାଜ୍ୟରେ ଦଣ୍ଡବିଧାନ ହାର ବଢିଛି । ଦୈନିକ ରିପୋର୍ଟ ନିଆଯାଉଛି । ଆଗକୁ ଯେପରି ଏଭଳି ଘଟଣା ନ ଘଟିବ ସରକାର ସେଥିପ୍ରତି ତତ୍ପର ଅଛନ୍ତି ବୋଲି ମନ୍ତ୍ରୀ ଦୋହରାଇଛନ୍ତି ।