ଖୁବ୍ ଶୀଘ୍ର ପଞ୍ଜାବରେ ରକ୍ତର ନଦୀ ବହିବ ,ସବୁ ଆଡେ ଲାଲ୍ ଦେଖାଯିବ ବୋଲି ଚେତାବନୀ ଦେଲା ଖଲିସ୍ତାନ ଲିବରେସନ୍ ଆର୍ମୀ
ଥରିଛି ଜଳନ୍ଧର ଏବଂ ଅମୃତସର । ପଞ୍ଜାବର ଏହି ଦୁଇ ସହରରେ ଭୟଙ୍କର ବିସ୍ଫୋରଣ । ମଙ୍ଗଳବାର ରାତ୍ରରେ ଜଳନ୍ଧରରେ ଥିବା ବିଏସଏଫ କ୍ୱାର୍ଟର ବାହାରେ ବିସ୍ଫୋରଣ ହୋଇଛି । କ୍ୟାମ୍ପସ ବାହାରେ ଥିବା ଏକ ସ୍କୁଟିରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣତ ଶବ୍ଦ ଏତେ ଭୟଙ୍କର ଥିଲା ଯେ ଏହା ଦୁଇ କିଲୋମିଟର ଯାଏଁ ଶୁଭିଥିଲା ।
ସେହିପରି ଭାରତ-ପାକିସ୍ତାନ ସୀମା ନିକଟରେ ଖାସା ଅଞ୍ଚଳରେ ଥିବା ବିଏସଏଫ ହେଡ୍ କ୍ୱାର୍ଟର୍ ବାହାରେ ମଧ୍ୟ ବୋମା ବିସ୍ଫୋରଣ ଘଟିଛି । ରାତି ୧୦ଟା ୧୫ ମିନିଟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ବାଇକରେ ଦୁଇଜଣ ମୁଖାପିନ୍ଧା ବ୍ୟକ୍ତି ଆସି କାର୍ଯ୍ୟାଳୟକୁ ଟାର୍ଗେଟ୍ କରି ବିସ୍ଫୋରକ ଫିଙ୍ଗିଥିଲେ ।
ନିଜକୁ ଦାୟୀ କଲେ ଖଲିସ୍ତାନୀ
ଘଟଣାକୁ ନେଇ ଖଲିସ୍ତାନ ଲିବରେସନ୍ ଆର୍ମୀ ନିଜକୁ ଦାୟୀ କରିଛି । ସୋସିଆଲ ମିଡିଆ ପୋଷ୍ଟରେ ଦୁଇଟି ଆକ୍ରମଣ ଘଟଣାରେ ସଂଗଠନର ହାତ ଥିବା ପ୍ରକାଶ କରିଛି । ସେମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟର ଭାଇରାଲ କରିଛନ୍ତି । ଯାହା ବିସ୍ଫୋରଣର କିଛି ସମୟ ପରେ ଭାଇରାଲ ହୋଇଥିଲା । ଅପରେସନ ନଓ୍ୱା ସବେର୍ ଆଧାରରେ ଏହି ବ୍ଲାଷ୍ଟ୍ ହୋଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ୧୯ ବର୍ଷୀୟ ଯୁବକ ରଞ୍ଜିତ ସିଂଙ୍କ ମୃତ୍ୟୁକୁ ବିରୋଧ କରି ଏହି ବିସ୍ଫୋରଣ କରାଯାଇଥିଲା ଖଲିସ୍ତାନୀ ଆତଙ୍କବାଦୀ କହିଛନ୍ତି ।
ପୋଷ୍ଟରରେ ଆହୁରି ଉଲ୍ଲେଖ ଅଛି ଯେ, ରଞ୍ଜିତଙ୍କ ବିରୋଧରେ ଦୁଇ ପୋଲିସ କର୍ମୀଙ୍କୁ ହତ୍ୟା ଅଭିଯୋଗ ରହିଛି । କିନ୍ତୁ ଏହା ସତ ନୁହେଁ । ପରିବାର ଲୋକେ ଘଟଣାକୁ ଖଣ୍ଡନ କରିଛନ୍ତି । ରଞ୍ଜିତର ରକ୍ତର ପ୍ରତିଶୋଧ ନିଆଯିବ । ତାଙ୍କର ବଳୀଦାନକୁ ବ୍ୟର୍ଥ ଯିବାକୁ ଦିଆଯିବ ନାହିଁ । ଖୁବ୍ ଶୀଘ୍ର ପଞ୍ଜାବରେ ରକ୍ତର ନଦୀ ବହିବ । ସବୁ ଆଡେ ଲାଲ୍ ଦେଖାଯିବ ବୋଲି ଚେତାବନୀ ଦିଆଯାଇଛି ।
ବିସ୍ଫୋରଣ ପରେ ପଞ୍ଜାବ ହାଇ ଆଲର୍ଟରେ ରହିଛି । ବିଭିନ୍ନ ପ୍ରତିରକ୍ଷା ପ୍ରତିଷ୍ଠାନରେ ସୁରକ୍ଷାକୁ କଡାକଡି କରାଯାଇଛି । ଘଟଣାରେ କେହି ପ୍ରାଣ ହରାଇ ନଥିବା ବେଳେ ଖଲିସ୍ତାନୀ ସଙ୍ଗଠନ କିନ୍ତୁ କିଛି ବିଏସଏଫ ଯବାନ ସହିଦ ହୋଇଥିବା ଦାବି କରୁଛି ।