ଆସନ୍ତା ୭ ତାରିଖରେ ବସିବ ଏୟାର ଇଣ୍ଡିଆର ବୋର୍ଡ ବୈଠକ,ଖର୍ଚ୍ଚକାଟ ସମେତ ନୂଆ ସିଇଓ ଚୟନ ଆଦି ସଂପର୍କରେ ଆଲୋଚନା ହେବ
କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆର ଅସୁବିଧା ବଢ଼ି ଚାଲିଛି। ବିମାନ ଇନ୍ଧନ ଦରବୃଦ୍ଧି କମ୍ପାନିକୁ ଅଧିକ ଅଡ଼ୁଆରେ ପକାଇଛି। ଆସନ୍ତା ୭ ତାରିଖରେ ମୁମ୍ବାଇରେ ହେବାକୁ ଥିବା ବୋର୍ଡ ବୈଠକରେ ଖର୍ଚ୍ଚକାଟ ସମେତ ନୂଆ ସିଇଓ ଚୟନ ଆଦି ସଂପର୍କରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।
ପ୍ରତିକୂଳ ପରିସ୍ଥିତି ପାଇଁ ୨୦୨୫-୨୬ରେ ଏୟାର ଇଣ୍ଡିଆର କ୍ଷତି ୨୨ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବଂ ବିମାନ ଇନ୍ଧନ ଦରବୃଦ୍ଧି ଆଗାମୀ ଦିନରେ କ୍ଷତି ପରିମାଣ ଆହୁରି ବଢ଼ାଇବ। ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନ ଇସ୍ତଫା ଘୋଷଣା କରି ସାରିଛନ୍ତି। ନୂଆ ସିଇଓ ଚୟନ ପାର୍ଇ କମ୍ପାନି ଏକ କମିଟି ପୂର୍ବରୁ ଗଠନ କରିଛି। ତେଣୁ କମ୍ପାନିର ବୋର୍ଡ ବୈଠକରେ ନୂଆ ସିଇଓ ଚୟନ ନେଇ ମଧ୍ୟ ଆଲୋଚନା ହେବ। ସିଇଓ କ୍ୟାମ୍ପବେଲ ଯଦିଓ ଇସ୍ତଫା ଦେଇଛନ୍ତି ତଥାପି ନୂଆ ସିଇଓ ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ପଦରେ କାର୍ଯ୍ୟ କରିବେ।
ଖର୍ଚ୍ଚ କାଟ ଯୋଜନା ମଧ୍ୟରେ ବିଜନେସ ଶ୍ରେଣୀର ଯାତ୍ରୀଙ୍କ ଟିକଟରୁ ମିଲ୍ ଏବଂ ଲାଉଞ୍ଜ ସୁବିଧାକୁ ଅଲଗା କରାଯାଇ ପାରେ। ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ବୋର୍ଡ ବୈଠକରେ ନିଆଯିବ ବୋଲି କୁହାଯାଉଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏୟାର ଇଣ୍ଡିଆକୁ ଅନେକ ଅନ୍ତର୍ଜାତୀୟ ଉଡ଼ାଣ ବିକଳ୍ପ ଆକାଶ ମାର୍ଗ ଦେଇ କରିବାକୁ ପଡ଼ୁଛି। ଏଥିପାଇଁ ଯାତ୍ରା ସମୟ ଅଧିକ ରହିବା ସହିତ ବିମାନ ଇନ୍ଧନ ଖର୍ଚ୍ଚ ମଧ୍ୟ ଅଧିକ ରହୁଛି। ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ, ଏୟାର ଇଣ୍ଡିଆର ସିଇଓ ୱିଲସନ, ସିଙ୍ଗାପୁର ଏୟାରଲାଇନ୍ସର ସିଇଓ ଜି ଚୁନ୍ ଫଙ୍ଗ୍ଙ୍କ ସମେତ ବୋର୍ଡର ଅନ୍ୟ ୪ ସଦସ୍ୟ ଯଥା ସଞ୍ଜୀବ ମେହେଟା, ଏ ବୈଦ୍ୟନ, ପିଆର୍ ରମେଶ ଏବଂ ବିପି ବାଲାଜୀ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।