ଆଇପିଏଲର ୪୪ତମ ମ୍ୟାଚ୍ପ , ଞ୍ଜାବ କିଙ୍ଗ୍ସକୁ ୧୬୩ ରନ୍ରେ ଅଟାଇଛି ଗୁଜରାଟ ଟାଇଟନ୍ସ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚରେ ଶକ୍ତିଶାଳୀ ବିବେଚିତ ପଞ୍ଜାବ କିଙ୍ଗ୍ସକୁ ଆଜି ୧୬୩ ରନ୍ରେ ଅଟାଇଛି ଗୁଜରାଟ ଟାଇଟନ୍ସ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ୍ ଜିଣି ଗୁଜରାଟ ସଫଳ ରଣନୀତି ପ୍ରସ୍ତୁତ କରି ପଞ୍ଜାବକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନାହିଁ। ପଞ୍ଜାବ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇଛି। ଘରୋଇ ମାଟିରେ ଗୁଜରାଟକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୬୪ ରନ୍ର ଲକ୍ଷ୍ୟ ମିଳିଛି।
ଏହି ମ୍ୟାଚ୍ରେ ଗୁଜରାଟ ପାଇଁ ବୋଲର ଜେସନ ହୋଲ୍ଡର ସର୍ବ ଶ୍ରେଷ୍ଠ ବୋଲିଂ କରିଛନ୍ତି। ସେ ୪ ଓଭର ବୋଲିଂ କରି ୨୪ ରନ୍ ଖର୍ଚ୍ଚ କରିଛନ୍ତି। ଅନ୍ୟପଟରେ ୪ଟି ୱିକେଟ ଅକ୍ତିଆର କରିଥିଲେ। ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ କାଗିସୋ ରାବାଡ଼ା ୨-୨ ୱିକେଟ୍ ନେଇଥିଲେ।ରସିଦ ଖାନ ଜଣେ ବ୍ୟାଟରଙ୍କୁ ପାଭିଲିଅନ ଫେରାଇ ଥିଲେ।
ପଞ୍ଜାବର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ଦେଖାଯାଇଛି। ଇନିଂସର ଦ୍ବିତୟ ବଲ୍ରେ ବିସ୍ଫୋରକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଏବଂ ତୃତୀୟ ବଲ୍ରେ କୋପର କନୋଲି ଆଉଟ୍ ହୋଇଥିଲେ। ସେହିପରି ପଞ୍ଜାବର ସ୍କୋର ୩୫ ରନ୍ରେ ପ୍ରଭସିମରନ ଏବଂ ୩୬ ରନ୍ରେ ନେହାଲ ୱାଧୀରା ଆଉଟ୍ ହୋଇଥିଲେ। ପରେ ପରେ ଶ୍ରେୟସ ଆୟର ଆଉଟ ହୋଇଥିଲେ। ସ୍କୋର ୪୭ ରନ୍ ବେଳକୁ ପଞ୍ଜାବ ୫ଟି ମୂଲ୍ୟବାନ ୱିକେଟ୍ ହରାଇ ସାରିଥିଲା।
ପଞ୍ଜାବ ପାଇଁ ସୂର୍ଯ୍ୟାଂଶ ଶେଡଗେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୯ଟି ବଲ୍ ଖେଳି ୫୭ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୩ଟି ଚୌକା ଏବଂ ୫ଟି ଛକା ସାମିଲ ଥିଲା। ସେହିପରି ମାର୍କସ ଷ୍ଟୋଇନିସ ବ୍ୟକ୍ତିଗତ ଭାବେ ୪୦ ରନ୍ ସଂଗ୍ରହ କରିଥିଲେ। ସେ ୩୧ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ମାର୍କେ ଜେସନ ୨୦ ରନ୍, ଅଧିନାୟକ ଶ୍ରେୟସ ଆୟର ୧୯ ରନ୍ ଏବଂ ପ୍ରଭସିମରନ ୧୫ ରନ୍ ସଂଗ୍ରହ କରିଥିଲା ବେଳେ ଅନ୍ୟ ବ୍ୟାଟରଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।