ଭୋଟଗଣନା ନ ସରିବା ଯାଏ ଗଣନା କେନ୍ଦ୍ର ନ ଛାଡ଼ିବାକୁ ଏଜେଣ୍ଟମାନଙ୍କୁ ତାଗିଦ କଲେ ମମତା
ତୃଣ ମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଓ ପାର୍ଟି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଶନିବାର ପାର୍ଟିର ଭୋଟଗଣନା କାର୍ଯ୍ୟକର୍ତ୍ତାଙ୍କ ସହ ଭର୍ଚୁଆଲ ମିଟିଂ କରିଛନ୍ତି। ଏଥର ବିଧାନସଭା ନିର୍ବାଚନରେ ପାର୍ଟିକୁ ୨୦୦ରୁ ଅଧିକ ସିଟ୍ ମିଳୁଥିବାର ମମତା କହିଛନ୍ତି। ଟିଏମସି ଦଳୀୟ ସୂତ୍ର ଅନୁସାରେ ମମତା ଓ ଅଭିଷେକ କହିଛନ୍ତି ଯେ ସେୟାର ବଜାରକୁ ପ୍ରୋତ୍ସାହିତ କରିବା ପାଇଁ ଏଗଜିଟ୍ ପୋଲରେ ବିଜେପିକୁ ଆଗୁଆ ରଖା ଯାଉଛି। ଏହା କେବଳ ଏଥର ନିର୍ବାଚନ ନୁହେଁ ଏହା ପୂର୍ବରୁ ୨୦୨୧ ଓ ୨୦୨୪ ନିର୍ବାଚନରେ ମଧ୍ୟ ଏହି ରଣନୀତି ଅବଲମ୍ବନ କରାଯାଇଥିଲା।
ବୈଠକ ଆରମ୍ଭରେ ମମତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଅଟଳ ସଂଘର୍ଷ ଲାଗି ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ପାର୍ଟି କାର୍ଯ୍ୟକର୍ତ୍ତା ଓ ନେତାଙ୍କ ଉପରେ କେନ୍ଦ୍ରୀୟ ବଳଙ୍କ ନିର୍ଯାତନା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥି ପାଇଁ ମମତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ପୁରସ୍କୃତ କରିବେ ବୋଲି କହିଛନ୍ତି। ସେହିପରି କେନ୍ଦ୍ରୀୟ ବଳ ଭୋଟ ଗ୍ରହଣ କାଳରେ ଭୋଟରଙ୍କୁ ମଧ୍ୟ ଡରାଇବାକୁ ଉଦ୍ୟମ କରିଥିବାର ଅଭିଷେକ ଅଭିଯୋଗ କରିଛନ୍ତି।
ଏହି ଅବସରରେ ମମତା ଓ ଅଭିଷେକ ମତଗଣନା କାର୍ଯ୍ୟକର୍ତ୍ତାଙ୍କ ଲାଗି ଭୋଟଗଣନା ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି। ଯଦି କୌଣସି କେନ୍ଦ୍ରରେ ବିଜେପି ବହୁତ କମ୍ ଭୋଟ ଅନ୍ତରରେ ଆଗୁଆ ଥାଏ ସେ କ୍ଷେତ୍ରରେ ପୁନର୍ଗଣନା ନିବେଦନ କରିବାକୁ ଏଜେଣ୍ଟ ଚେଷ୍ଟା କରିବେ ବୋଲି କୁହାଯାଇଛି। ଏହା ଛଡା ଭୋଟ ଗଣନା ଦିନ ୪ ମେ ସୋମବାର ଏଜେଣ୍ଟମାନଙ୍କୁ ସକାଳେ ଶୀଘ୍ର ଭୋଟ ଗଣତି କେନ୍ଦ୍ରକୁ ପହଞ୍ଚିବାକୁ କୁହାଯାଇଛି। ସେମାନଙ୍କୁ ଏହା ବି କୁହାଯାଇଛି ଯେ ଭୋଟଗଣନା ନ ସରିବା ଯାଏ ସେମାନେ ଯେପରି ଗଣନା କେନ୍ଦ୍ର ନ ଛାଡନ୍ତି।
ବିଜୟୀ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ମିଳିବା ପରେ ସମୂହ ସହିତ ଏଜେଣ୍ଟ ବାହାରକୁ ବାହାରିବେ। ଭୋଟ ଗଣନା ଉପରେ ନଜର ରଖିବାକୁ ତୃଣ ମୂଳ ଜିଲ୍ଲା ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରିଛି। ଏହି ଅବସରରେ ଅଭିଷେକ କହିଛନ୍ତି ଯେ ବିଜେପି ନିର୍ବାଚନରେ ସବୁ ପ୍ରକାରର ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ହାରିଯିବ। ନିର୍ବାଚନ ଫଳାଫଳ ଆସିବା ପରେ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ସବୁ ପର୍ଯ୍ୟବେକ୍ଷକ ଯେଉଁମାନେ ଅସାମ୍ବିଧାନିକ କାର୍ଯ୍ୟ କରିଥିଲେ ସେମାନଙ୍କ ବିରୋଧରେ ଟିଏମସି ଆଇନଗତ କାର୍ଯ୍ୟାନୁଷ୍ଠାନ କରିବ ବୋଲି ଅଭିଷେକ କହିଛନ୍ତି।