ବଢିଲା କ୍ଷୀର ଦାମ୍,ଲିଟର ପିଛା ୧ଟଙ୍କା ବୃଦ୍ଧି
ଗ୍ରାହକଙ୍କୁ ଝଟକା । ବଢିଲା କ୍ଷୀର ଦାମ୍ । ଓମଫେଡ୍ ପକ୍ଷରୁ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ କ୍ଷୀର କ୍ରୟ ମୂଲ୍ୟରେ ଲିଟର ପିଛା ୧ଟଙ୍କା ବୃଦ୍ଧି କରାଯାଇଛି । ଏହି ନୂତନ ଦର ଆଜିଠୁ ଲାଗୁ ହେବ । ଯାହାଦ୍ବାରା ଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ ଟଙ୍କା ୫ ପଇସା ପାଉଥିଲେ ଏଣିକି ୩୯ ଟଙ୍କା ୫ ପଇସା ପାଇବେ । ରାଜ୍ୟର ପ୍ରାୟ ୩ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ଭାବେ ସହାୟତା କରିବା ପାଇଁ ସରକାର କ୍ରୟ ମୂଲ୍ୟ ବୃଦ୍ଧି କରିଥିବାବେଳେ ଏହା ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି । ଗୋଖାଦ୍ୟ , ମେଡିସିନ ଏବଂ ପିଡିଆ ଭଳି ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଓମଫେଡ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପିଛା ୧ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।
ସେହିପରି ନିର୍ବାଚନ ପରେ ପରେ ବଢ଼ିଲା କମର୍ସିଆଲ୍ LPG ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ଦର ୯୯୩ ଟଙ୍କା ବୃଦ୍ଧି ପାଇଛି । ଦର ବଢ଼ିବା ପରେ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୩୦୭୧.୫୦ ଟଙ୍କା ହୋଇଛି । ଏହି ନୂଆ ଦର ଆଜିଠାରୁ ଲାଗୁ ହେବ । ଅନ୍ୟପଟେ ଘରୋଇ LPG ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।