କରିସ୍ମା କପୁରଙ୍କ ଦୁଇ ସନ୍ତାନଙ୍କୁ ମିଳିଛି ପ୍ରାରମ୍ଭିକ ବିଜୟ,ସଞ୍ଜୟଙ୍କ କୌଣସି ବି ସମ୍ପତ୍ତି ବିକ୍ରି କିମ୍ବା ହସ୍ତାନ୍ତର କରିପାରିବେନି ପ୍ରିୟା ସଚଦେବ
ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ପୂର୍ବତନ ସ୍ୱାମୀ ତଥା ଶିଳ୍ପପତି ସଞ୍ଜୟ କପୁରଙ୍କ ସମ୍ପତ୍ତି ହସ୍ତାନ୍ତର ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ । ସଞ୍ଜୟ କପୁରଙ୍କ ୩୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ଚାଲିଛି ମହାଲଢ଼େଇ । କରିସ୍ମା କପୁରଙ୍କ ଦୁଇ ସନ୍ତାନ ସମାଇରା ଏବଂ କିଆନଙ୍କୁ ମିଳିଛି ପ୍ରାରମ୍ଭିକ ବିଜୟ ।
ଦିଲ୍ଲୀ ହାଇକୋର୍ଟ ସଞ୍ଜୟ କପୁରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ‘ଷ୍ଟାଟସ୍ କୋ’ ବା ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟଙ୍କ କୌଣସି ବି ସମ୍ପତ୍ତି ବିକ୍ରି କିମ୍ବା ହସ୍ତାନ୍ତର କରିପାରିବେନି ପ୍ରିୟା ସଚଦେବ । ସମସ୍ତ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ଓ କ୍ରିପ୍ଟୋକରେନ୍ସି କାରବାର ଉପରେ ରୋକ୍ ଲଗାଇଛନ୍ତି କୋର୍ଟ । ଭାରତରେ ଥିବା ୩ଟି ପ୍ରମୁଖ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ଉପରେ କଟକଣା ।
୨୦୨୫ ଜୁନ ମାସରେ ଲଣ୍ଡନରେ ସଞ୍ଜୟ କପୁରଙ୍କ ପରଲୋକ ହୋଇଥିଲା । ଏହା ପରେ ଏକ ‘ଉଇଲ୍’ ବା ଇଚ୍ଛାପତ୍ର ସାମ୍ନାକୁ ଆସିଥିଲା, ଯେଉଁଥିରେ ସମସ୍ତ ସମ୍ପତ୍ତି ପ୍ରିୟାଙ୍କ ନାଁରେ ଥିଲା । କିନ୍ତୁ ଏହି ଉଇଲଟି ଜାଲ୍ ବୋଲି କରିସ୍ମାଙ୍କ ପିଲାମାନେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଇଚ୍ଛାପତ୍ରରେ କରାଯାଇଥିବା ଦସ୍ତଖତକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ସଞ୍ଜୟଙ୍କ ମାଆ ରାନୀ କପୁରଙ୍କୁ ମଧ୍ୟ ସମ୍ପତ୍ତିରୁ ବଞ୍ଚିତ କରାଯାଇଛି, ଯାହା ସନ୍ଦେହଜନକ । ଏବେ ସମାଇରା ଓ କିଆନ ନିଜକୁ ପ୍ରକୃତ ଉତ୍ତରାଧିକାରୀ ଦର୍ଶାଇ ସମ୍ପତ୍ତିରୁ ୫ ଭାଗରୁ ଭାଗେ ଦାବି କରିଛନ୍ତି । ତେବେ ଇଚ୍ଛାପତ୍ରର ସତ୍ୟାସତ୍ୟ ପରୀକ୍ଷା ନହେବା ଯାଏଁ ପ୍ରିୟା ସଚଦେବ କୌଣସି ସମ୍ପତ୍ତି ନେଇପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।