ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ

ରାନ-ଆମେରିକା ଯୁୁଦ୍ଧ ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉନଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ଗୁରୁବାର ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଡଲାରର ବିନିମୟ ମୂଲ୍ୟ ୯୫ ଟଙ୍କାରୁ ଅଧିକ ହୋଇଥିଲା। ଏକ ସମୟରେ ତାହା ୯୫ ଟଙ୍କା ୨୦ ପଇସା ସ୍ତରରେ ପହଞ୍ଚିଯାଇଥିଲା।ଆମେରିକାର ଫେଡେରାଲ୍‌ ରିଜର୍ଭ ଡଲାରକୁ ଶକ୍ତିଶାଳୀ କରିବା ଓ ବଣ୍ଡ୍‌ ୟିଲ୍‌ଡ ବଢ଼ାଇବା ପାଇଁ ପଦକ୍ଷେପ ନେବ ବୋଲି ସଙ୍କେତ ଦେବା ପରେ ଅନ୍ୟ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ହେବାରେ ଲାଗିଛି। ଫେଡେରାଲ ରିଜର୍ଭ ମୁଖ୍ୟ ଜେରୋମି ପାୱେଲ ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ହେଲାଣି ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଛି। ଗତକାଲି ତାହା ୯୪ ଟଙ୍କା ୮୪ ପଇସା ସ୍ତରରେ ଥିଲା। ଏହା ଲଗାତାର ତୃତୀୟ ସପ୍ତାହରେ ଦୁର୍ବଳ ସ୍ତରରେ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ପରେ ଟଙ୍କା ସ୍ଥିତିରେ ଯେଉଁ ସୁଧାର ଘଟିିଥିଲା ତାହା ସମ୍ପୂର୍ଣ୍ଣ ଧୋଇଯାଇଛି। ଚଳିତ ବର୍ଷ ଏଯାଏ ଟଙ୍କା ୫.୮ ପ୍ରତିଶତ ଦୁର୍ବଳ ହୋଇଛି। ଅନ୍ୟ ଏସୀୟ ମୁଦ୍ରାଗୁଡ଼ିକ ତୁଳନାରେ ଟଙ୍କା ସର୍ବାଧିକ ପ୍ରଭାବିତ ହୋଇଛି।ଅଶୋଧିତ ତୈଳ ଦର ବଢ଼ୁଥିବାରୁ ଟଙ୍କା ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଛି। ଆମେରିକା ତରଫରୁ ଇରାନର ବନ୍ଦରଗୁଡ଼ିକୁ ନାକାବନ୍ଦୀ କରାଯାଇଥିବା ବେଳେ କୌଣସି ଜାହାଜକୁ ଇରାନ ହର୍ମୁଜ ପ୍ରଣାଳୀରେ ଆଗକୁ ବଢ଼ିବାକୁ ଦେଉନାହିଁ। ଅନ୍ୟ ପକ୍ଷରେ ଅଶୋଧିତ ତେଲ ଦର ବଢ଼ୁଥିବାରୁ ଆମଦାନିକାରୀମାନେ ବର୍ଦ୍ଧିତ ଖର୍ଚ୍ଚ ବହନ କରିବାକୁ ଅଧିକ ଡଲାର କିଣୁଛନ୍ତି। ସେଥିପାଇଁ ତାହାର ଚାହିଦା ବଢ଼ିଛି। ତୈଳ ଦରବୃଦ୍ଧି ପୁଞ୍ଜି ପ୍ରବାହକୁ ମଧ୍ୟ ପ୍ରଭାବିତ କରିଛି। ସେଥିପାଇଁ ଟଙ୍କା ଦୁର୍ବଳରୁ ଆହୁରି ଦୁର୍ବଳ ହେବାରେ ଲାଗିଛି।

 

Leave a comment