ଆସନ୍ତାକାଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ , ବିରୋଧୀଙ୍କୁ ମହିଳା ବିରୋଧୀ କହି ନିନ୍ଦା ପ୍ରସ୍ତାବ ଆଣିବେ ଶାସକ ଦଳ

ଆସନ୍ତାକାଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ସଂସଦରେ ମହିଳା ସଂରକ୍ଷଣ ବିଲ କାଟ ଖାଇବା ପରେ ଏହାକୁ ନେଇ ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ବିରୋଧୀଙ୍କୁ ମହିଳା ବିରୋଧୀ କହି ନିନ୍ଦା ପ୍ରସ୍ତାବ ଆଣିବେ ଶାସକ ଦଳ । ଯାହାକୁ କଟାକ୍ଷ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।

କାଲି କମ୍ପିବ ବିଧାନସଭା । ମହିଳା ସଂରକ୍ଷଣକୁ ନେଇ ହେବ ମହାବିତର୍କ । ସ୍ବତନ୍ତ୍ର ଅଧିବେଶନରେ ହେବ ଘମାଘୋଟ୍ ଆଲୋଚନା । ସଂସଦରେ ମହିଳା ସଂରକ୍ଷଣ ବିଲ କାଟ୍ ଖାଇବା ପରେ ଏହାକୁ ନେଇ ସଂସଦରୁ ସଡ଼କ ଯାଏଁ ବିରୋଧୀଙ୍କ ବିରୋଧରେ ପ୍ରତିବାଦ କରୁଛି ବିଜେପି । ସାରା ରାଜ୍ୟରେ ଜନ ଆକ୍ରୋଶ ମହିଳା ପଦଯାତ୍ରା କରି ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରିଥିବା ରାଜନୈତିକ ଦଳଙ୍କ ବିରୋଧରେ ଗର୍ଜିଛନ୍ତି ବିଜେପି ନେତା । ଏହି କ୍ରମରେ ଆସନ୍ତାକାଲି ଗୋଟିଏ ଦିନ ପାଇଁ ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ରାଜ୍ୟ ସରକାର । ଯାହାକୁ କଡା ବିରୋଧ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।

ଗୋଟିଏ ଡିବେଟ ପାଇଁ କାହିଁକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ?

କାଲିର ସ୍ବତନ୍ତ୍ର ଅଧିବେଶନକୁ ନେଇ ବିରୋଧୀ ଦଳ ଉପନେତା କହିଛନ୍ତି, ଏ ସ୍ବତନ୍ତ୍ର ଅଧିବେଶନରେ ସରକାର କ’ଣ ବିଲ ଆଣିଛନ୍ତି କି ? ଅନ୍ୟ କୌଣସି କାର୍ଯ୍ୟକ୍ରମ ଅଛି କି ? ସରକାର କେବଳ ଗୋଟିଏ ଡିବେଟ ପାଇଁ କାହିଁକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ? ବିଧାନସଭାର ଏହି ସ୍ବତନ୍ତ୍ର ଅଧିବେଶନ ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି। ସେହିଭଳି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିରୋଧୀଙ୍କୁ ଗାଳି ଦେବା ଓ ନିନ୍ଦା ପ୍ରସ୍ତାବ ଆଣିବା ପାଇଁ ସରକାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି । ହେଲେ ଆମେ ମଧ୍ୟ ଶାସକ ଦଳ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବା ସହ ଉଚିତ୍ ଜବାବ ଦେବୁ ।

ଅସଲମୁଖା ଏବେ ଖୋଲି ଯାଇଛି

ସେପଟେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଜନ ସାଧାରଣ ବୁଝି ସାରିଲେଣି ବିରୋଧୀ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ତାଙ୍କର ଅସଲମୁଖା ଏବେ ଖୋଲି ଯାଇଛି। ମହିଳା ସଂରକ୍ଷଣ ବିଲ୍ ଆସିଥିଲେ ବିଧାନସଭା ଓ ସଂସଦରେ ମହିଳାଙ୍କ ପ୍ରତିନିଧି ବଢ଼ିଥାନ୍ତା । ହେଲେ ବିରୋଧୀ ଏହାକୁ ଆସିବାକୁ ଦେଲେନାହିଁ । ନବୀନ ବାବୁ ଦୀର୍ଘ ଦିନ ଧରି ମହିଳାଙ୍କୁ ଠକି ଭୋଟ ନେଉଥିଲେ । ଏ ବାବଦରେ ଆସନ୍ତାକାଲି ବିଧାନସଭାରେ ଆଲୋଚନା ହେବ । ସେପଟେ ବିଧାନସଭାର ଏହି ଦିନିକିଆ ସ୍ବତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ, ୧୦୦ ଅଫିସରଙ୍କ ସହ ଷ୍ଟ୍ରାଇକିଂ ଫୋର୍ସଙ୍କୁ ମୁତୟନ କରାଯାଇଛି ।

Leave a comment