ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ,ଏପ୍ରିଲ ୨୯ରେ ଭୋଟିଂ
ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ସୋମବାର ସନ୍ଧ୍ୟାରେ ଶେଷ ହୋଇଛି । ଶେଷ ଦିନରେ ହାଇଭୋଲଟେଜ୍ ପ୍ରଚାର ସହ ମତଦାତାଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ସବୁ ପାର୍ଟି । ପ୍ରଚାର ମୈଦାନରେ ଟିଏମସି ଏବଂ ବିଜେପି ମଧ୍ୟରେ ଜୋରଦାର ହୋଇଛି ବାକ୍ ଯୁଦ୍ଧ । ଆରୋପ ପ୍ରତ୍ୟାରୋପ ମଧ୍ୟରେ ଶେଷ ତଥା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଥମିଛି । ଏପ୍ରିଲ ୨୯ରେ ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟିଂ । ମେ’ ୪ରେ ଆସିବ ରେଜଲ୍ଟ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୩ରେ ହୋଇଥିବା ବେଳେ ପ୍ରାୟ ୯ ପ୍ରତିଶତ ମତଦାନ ହୋଇଥିଲା । ଆଗରୁ କେବେ ଏଭଳି ମତଦାନ ହୋଇନଥିବାରୁ, ଏଥର ବେଙ୍ଗଲରେ ଶାସନ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ ଗାଦିରେ ବସିବାକୁ ବେଶ୍ ଆଶାବାଦୀ । ତେବେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ମତାଦନ ପ୍ରତିଶତ କେତେ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିବ । ଏହି ପର୍ଯ୍ୟାୟରେ ବାକି ୧୪୨ ଆସନରେ ଭୋଟ ପଡ଼ିବ ।
ପ୍ରଚାରରେ ଏସଆଇଆର, ଅନୁପ୍ରବେଶ, ଦୁର୍ନୀତି ଏବଂ ବେରୋଜଗାର ଭଳି ପ୍ରସଙ୍ଗରେ ରାଜନୈତିକ ଦଳ ଗର୍ଜନ କରିଥିଲେ । ହାଇଭୋଲଟେଜ୍ ପ୍ରଚାରରେ ଟିଏମସି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ଟିଏମସି ରାଜ୍ୟକୁ ଅନୁପ୍ରବେଶକାରୀଙ୍କ ଲାଗି ଭୂସ୍ବର୍ଗ କରିଦେଇଛି ବୋଲି ବିଜେପି ଅଭିଯୋଗ କରିଛି । ସେପଟେ ବିଜେପି ବିଭାଜନକାରୀ ରାଜନୀତି କରୁଛି ବୋଲି ପାଲଟା ଜବାବ ବି ଦେଇଛି ଟିଏମସି ।