ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ,୨୬ ଜଣ ପ୍ରାର୍ଥୀ ଟପ୍ପର

ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ । ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ। JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳରେ ଅନୁସାରେ, ଏଥର ୨୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି। ଏହାର ଅର୍ଥ ହେଉଛି JEE ମେନ୍ ୨୦୨୬ ସେସନ୍ ୨ରେ ୨୬ ଜଣ ପ୍ରାର୍ଥୀ ଟପ୍ପର ହୋଇଛନ୍ତି।

ସାଧାରଣ ବର୍ଗରେ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି ୨୪ ଜଣ ପ୍ରାର୍ଥୀ

JEE ମେନ୍ ୨୦୨୬ ସେସନ୍ ୨ ରେଜଲ୍ଟରେ ମୋଟ ୨୬ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସାଧାରଣ ବର୍ଗର ରହିଥିବା ବେଳେ ଜଣେ EWS ବର୍ଗର ଏବଂ ଜଣେ OBC/NCL ବର୍ଗର।

ସର୍ବାଧିକ ସ୍କୋର ହେବ ଚୂଡ଼ାନ୍ତ ମେରିଟ୍‌ ତାଲିକା ପାଇଁ ହେବ ଯୋଗ୍ୟ

ଯଦି ଜଣେ ପ୍ରାର୍ଥୀ ଉଭୟ ସେସନରେ ପରୀକ୍ଷା ଦେଇଥାନ୍ତି ତେବେ, ଦୁଇଟି ସେସନ ମଧ୍ୟରୁ ଯେଉଁ ସେସନରେ ଅଧିକ ସ୍କୋର କରିଥିବେ ତାହାକୁ ଚୂଡ଼ାନ୍ତ ମେରିଟ୍ ତାଲିକା ପାଇଁ ବିବେଚନା କରାଯିବ। ଏହା ପୂର୍ବରୁ NTA ଫାଇନାଲ ଆନ୍ସର କି ପ୍ରକାଶ କରିଥିଲା। ଅବଶ୍ୟ ସେଥରୁ ଦୁଇଟି ପ୍ରଶ୍ନକୁ ହଟାଇ ଦେଇଥିଲା।

ଟି ପର୍ଯ୍ୟାୟରେ କରାଯିବ JoSAA କାଉନସେଲିଂ

JEE ମେନ ସେସନ ୨ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଜଏଣ୍ଟ ସିଟ୍ ଆଲଟମେଣ୍ଟ ଅଥରିଟି (JoSAA) ଦ୍ୱାରା କାଉନସେଲିଂ କରାଯିବ। ଏହି କାଉନସେଲିଂ ୬ଟି ପର୍ଯ୍ୟାୟରେ କରାଯିବ ଏବଂ ଏହା NIT, IIEST, IIIT, GFTTI ଏବଂ ଦେଶବ୍ୟାପୀ ଅନ୍ୟାନ୍ୟ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପ୍ରଦାନ କରିବ। JoSAA କାଉନସେଲିଂ ପରେ ଯଦି ସିଟ୍ ଖାଲି ରହିଥାଏ ତେବେ, କେନ୍ଦ୍ରୀୟ ସିଟ୍ ଆବଣ୍ଟନ ବୋର୍ଡ (CSAB) ଏହି ସିଟ୍‌ ସବୁ ଅତିରିକ୍ତ ପର୍ଯ୍ୟାୟ ମାଧ୍ୟମରେ ପୂରଣ କରିଥାଏ। ଏଥିପାଇଁ josaa.admissions.nic.inରେ ତଥ୍ୟ ଉପଲବ୍ଧ କରାଯିବ।

ମେ ୧୭ରେ JEE ଆଡଭାନ୍ସଡ୍ ପରୀକ୍ଷା

ଜେଇଇ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୨,୫୦,୦୦୦ ପ୍ରାର୍ଥୀ IITରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟ ବିବେଚିତ ହେବେ। ପଞ୍ଜୀକରଣ ଏପ୍ରିଲ ୨୩ରେ ଆରମ୍ଭ ହେବ ଏବଂ ମେ ୨ରେ ଶେଷ ହେବ। JEE ଆଡଭାନ୍ସଡ୍ ୨୦୨୬ ପରୀକ୍ଷା ମେ ୧୭ରେ ଅନୁଷ୍ଠିତ ହେବ।

Leave a comment