ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
ପବିତ୍ର ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରିଛନ୍ତି ଚାଷୀ ଭାଇ। ଚାଷୀ ଓ ଚାଷ ପାଇଁ ଆଜିର ଦିନର ଗୁରୁତ୍ୱ ଅନେକ। ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ। ବୈଶାଖ ମାସ ତୃତୀୟା ଅବସରରେ ଚାଷୀ ପରିବାର ଲୋକେ ସକାଳୁ ଘର୍ କୁ ଚିତା ଓ ଝୋଟି ପକାଇ ସଜାଇ ଦିଅନ୍ତି। ଚାଷୀ ପୁଅ ଗାଧୋଇ ନୂଆ ଲୁଗା ପିନ୍ଧି ପୂଜାର୍ଚ୍ଚନା କରେ। ପରେ ଏକ ବେତରେ ତିଆରି ଟୋକେଇରେ ବିହନକୁ ପୂଜା କରି ଲଙ୍ଗଳ ନେଇ ବିଲକୁ ଯାଆନ୍ତି। ସେଠାରେ ମାଙ୍କୁ ଆରାଧନା କରି ହଳ କରିବା ପରେ ବିହନ ବୁଣି ଚାଷ ପାଇଁ ଅନୁକୂଳ କରିଥାନ୍ତି।ସେହିପରି ଆଜି ଅକ୍ଷୟ ତୃତୀୟା ଅବସରରେ କଟକର ବିଦ୍ୟାଧରପୁରରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା CRRIରେ ପାଳନ କରାଯିବ ରାଜ୍ୟସ୍ତରୀୟ କୃଷକ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗ ଦେବେ। ସକାଳ ସାଢେ ୮ଟାରେ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ କରିବା ପରେ ରାଜ୍ୟସ୍ତରୀୟ କୃଷକ ଦିବସ ସମାବେଶରେ ଯୋଗ ଦେବେ। ଯେଉଁଥିରେ ପ୍ରାୟ ପାଞ୍ଚ ହଜାର କୃଷକ ଯୋଗ ଦେବେ। ଏହି ଅବସରରେ ଯୋଗ୍ୟ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ରାଶି ବଣ୍ଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।