ଟାଏଁ ଟାଏଁ ଖରା ,ଭୀଷଣ ଗୁଳୁଗୁଳି, କଲବଲ ଜନଜୀବନ,୨୩ ତାରିଖ ଯାଏଁ ଗରମ ପ୍ରକୋପ ନେଇ ସତର୍କ ସୂଚନା ଜାରି

ଟାଏଁ ଟାଏଁ ଖରା। ଭୀଷଣ ଗୁଳୁଗୁଳି। କଲବଲ ଜନଜୀବନ । ଏମିତି ଛଟପଟ ହେବେ। ନିସ୍ତାର ଆଶା ଦେଖାଯାଉନି । ମଝିରେ ମଝିରେ କାଳବୈଶାଖୀ ହେବ। କିନ୍ତୁ, ସୀମିତ ଅଞ୍ଚଳରେ ବର୍ଷିବ। ବିସ୍ତୃତ ଇଲାକାକୁ ଆଶ୍ଵସ୍ତ କରିବା ସମ୍ଭାବନା କମ୍। । ରବିବାର ପାରଦ ଅସ୍ବାଭାବିକ ବଢ଼ିଗଲା। ୪୩ ଡିଗ୍ରୀ ସେଲସିୟସ୍ ଡେଇଁଗଲା ତାପମାତ୍ରା। ଝାରସୁଗୁଡ଼ା ୪୩.୩ ଓ ଟିଟିଲାଗଡ଼ ୪୩। ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଯେମିତି ନିଆଁ ମାଡ଼ ହେଲା। ଉପକୂଳରେ ଗରମକୁ ଗୁଳୁଗୁଳି ନୟାନ୍ତ କରିଦେଲା।

ଗ୍ରୀଷ୍ମ ପ୍ରକୋପ ଦେଖି ଆଉ ୩ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଜି (ସୋମବାର) ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା, ନୟାଗଡ଼ ଓ ଦେବଗଡ଼ ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି । ବରଗଡ଼ରେ ୨୨ ତାରିଖ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ହୋଇଛି। କଟକ ଜିଲ୍ଲାରେ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ପୂର୍ବରୁ ୯ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିଲା।

ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ କିଛି ପରିବର୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ତଥାପି ରାଜ୍ୟରେ ଜାରି ରହିବ ତାତିର ପ୍ରହାର । ୨୩ ତାରିଖ ଯାଏଁ ଗରମ ପ୍ରକୋପ ନେଇ ସତର୍କ ସୂଚନା ଜାରି ହୋଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗରମ ନେଇ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ଆକଳନ ଅନୁସାରେ, ସୋମବାର ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ରାତିରେ ବି ଅସ୍ତ୍ରଭାବିକ ଗରମ ଅନୁଭୂତ ହେବ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ବିଭିନ୍ନ ସ୍ଥାନରେ ଗରମ ସହ ଗୁଳୁଗୁଳି ଲାଗି ରହିବ। କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର ୧/୨ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେତେକ ଜାଗାରେ ପବନ ଆଶଙ୍କା ଅଛି।

ସେହିପରି ୨୧ରୁ ପୁଣି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ହିଟ୍ ୱେଭ (ଗ୍ରୀଷ୍ମ ପ୍ରବାହ) ଛଟପଟ କରିବ । ୨୩ ଯାଏଁ ପଶ୍ଚିମରେ ହିଟ୍ ୱେଭ ଏବଂ ଉପକୂଳରେ ଗୁଳୁଗୁଳି ନାକେଦମ କରିବ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଚଳିତ ମାସ ଶେଷ ଯାଏଁ ଏମିତି ଗରମ ରହିବ। ମଝିରେ ମଝିରେ ଉପକୂଳ ଏବଂ ପାଖ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ହୋଇପାରେ। ମାତ୍ର ବଡ଼ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍। ଆଭ୍ୟନ୍ତରୀଣ ଓ ପଶ୍ଚିମରେ ଗରମ ଲାଗି ରହିବ। ୨୬-୨୭ ତାରିଖବେଳକୁ ତାତି ଆହୁରି ବଢ଼ିବା ସହ ପାରଦ ୪୫ ଡିଗ୍ରୀ ଛୁଇଁପାରେ।

Leave a comment