ଆଇନ୍ ଏକ ଗୁରୁତ୍ୱପୂର୍ଣ୍ଣ ବୃତ୍ତିରେ ପରିଣତ ହୋଇସାରିଛି,ଛାତ୍ରଛାତ୍ରୀ ଖୁବ୍ ଯତ୍ନବାନ ହୋଇ ନିଜ କ୍ୟାରିୟର ନିମନ୍ତେ ଯୋଜନା କରନ୍ତୁ- ଆଇନ୍ ମନ୍ତ୍ରୀ
ଆଇନ୍ ଛାତ୍ରଛାତ୍ରୀମାନେ ଯଦି ନିଜ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦେବେ ତେବେ ନିଜର ସଫଳ କ୍ୟାରିୟର ନିମନ୍ତେ ସେମାନଙ୍କ ନିକଟରେ ଅନେକ ବିକଳ୍ପ ରହିଛି… ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଲ (ଏସ୍ଏନ୍ଆଇଏଲ୍) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ଯୁବ ସଂସଦ – ‘ଲୋକ ସମ୍ବାଦ-୨୦୨୬’ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଏବଂ ଦିଲ୍ଲୀରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
ଏହି ଅବସରରେ ମନ୍ତ୍ରୀ ଆହୁରି କହିଥିଲେ, ଆଇନ୍ ଏକ ଗୁରୁତ୍ୱପୂର୍ଣ୍ଣ ବୃତ୍ତିରେ ପରିଣତ ହୋଇସାରିଛି। ଛାତ୍ରଛାତ୍ରୀମାନେ ଖୁବ୍ ଯତ୍ନବାନ ହୋଇ ନିଜ କ୍ୟାରିୟର ନିମନ୍ତେ ଯୋଜନା କରନ୍ତୁ । କାରଣ ସେମାନଙ୍କ ନିକଟରେ କୋର୍ଟରେ ଓକିଲାତି କରିବା ସହ ନ୍ୟାୟିକ ଅଧିକାରୀ ହେବାରେ ମଧ୍ୟ ବିକଳ୍ପ ରହିଛି। ବିଗତ କିଛି ବର୍ଷ ହେବ ଆଇନ ବୃତ୍ତିରେ ବିଶାଳ ପରିବର୍ତ୍ତନ ଘଟିଛି ଏବଂ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଆଇନ ଶିକ୍ଷାରେ ସୁପର ସ୍ପେଶିଆଲିଟି କୋର୍ସ ନିମନ୍ତେ ଅଧିକ ମନ ବଳାଉଛନ୍ତି। ଓଡ଼ିଶା ସରକାର ମଧ୍ୟ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ରିସର୍ଚ୍ଚ ଆସିଷ୍ଟାଂଟ ଭାବେ ନିଯୁକ୍ତି ଦେଉଛନ୍ତି ବୋଲି କହଛନ୍ତି ମନ୍ତ୍ରୀ।
ଆଇନ୍ ମହାବିଦ୍ୟାଳୟଗୁଡ଼ିକରେ ସାଧାରଣତଃ ମୁଟ କୋର୍ଟର ଆୟୋଜନ କରାଯାଉଥିବା ବେଳେ ଯୁବ ସଂସଦ କାର୍ଯ୍ୟକ୍ରମ ଖୁବ ବିରଳ। ତେଣୁ ଏଭଳି କାର୍ଯ୍ୟକ୍ରମ ପାଇଁ ସେ ସୋଆକୁ ଶୁଭେଚ୍ଛା ଜଣାଇଛନ୍ତି। କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ନିଜ ବକ୍ତବ୍ୟରେ କହିଥିଲେ ଯେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ସୋଆ ଶିକ୍ଷା କ୍ଷେତ୍ରରେ ଖୁବ୍ ଉଚ୍ଚକୁ ଉଠିଛି।
ଉଲ୍ଲେଖ୍ୟଯୋଗ୍ୟ, ସୋଆର ଆଇନ୍ ମହାବିଦ୍ୟାଳୟ ଏସ୍ଏନ୍ଆଇଏଲ୍ ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ୍) ରାଙ୍କିଙ୍ଗସରେ ସାରା ଦେଶରେ ୧୦ମ ସ୍ଥାନରେ ରହିଛି । କାର୍ଯ୍ୟକ୍ରମରେ ଏସଏନଆଇଏଲ୍ର ଡିନ୍ ପ୍ରଫେସର ଏସ୍.ଏ.କେ ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏହି ଅବସରରେ ପୁରସ୍କାର ପ୍ରଦାନ କରିଥିଲେ।