ହଷ୍ଟେଲ ଖାଦ୍ୟ ଖାଇ ଅସୁସ୍ଥ , ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ
ହଷ୍ଟେଲରେ ଖାଦ୍ୟ ଖାଇଲେ । କିଛି ସମୟ ପରେ ଅସୁସ୍ଥ ହୋଇପଡ଼ିଲେ । ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଗଲେ । ହସ୍ପିଟାଲରେ ଭର୍ତ୍ତି ହୋଇ ଲାଗିଲା ସାଲାଇନ୍ । ଫୁଡ୍ ପଏଜନିଂ ହୋଇଥିବା ସନ୍ଦେହ କରାଯାଉଛି । ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସ୍ଥିତ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ମୋଟ ୨୯୦ ଜଣ ଛାତ୍ରୀ ହଷ୍ଟେଲ ରହି ପାଠ ପଢୁଛନ୍ତି । ତେବେ ହଷ୍ଟେଲରେ ଛାତ୍ରଛାତ୍ରୀ ମାନଙ୍କୁ ସକାଳେ ୯ଟା ସମୟରେ ପଖାଳ ଓ ଆଳୁ ଖାଇବାକୁ ଦିଆଯାଇଥିଲା । ଖାଦ୍ୟ ମେନ୍ୟୁ ଅନୁଯାୟୀ ସକାଳ ୭ଟା ସମୟରେ ଉପମା ଥିବାବେଳେ ଉପମା ଦିଆଯାଇନଥିଲା । ତେବେ ପୂର୍ବାହ୍ନ ୯ ଟାରେ ଭାତ, ଆଳୁ ଖାଇବାକୁ ଦିଆଯାଇଥିଲା ।ଖାଇ ସାରିବାର କିଛି ସମୟରେ ହଷ୍ଟେଲର ଜଣେ ପରେ ଜଣେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ହଷ୍ଟେଲ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ମେଡିକାଲ ନନେଇ ନିଜେ ନିଜେ ପ୍ରାଥମିକ ଚିକିତ୍ସା କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଦୀର୍ଘ ସମୟ ପରେ ରାସଗୋବିନ୍ଦପୁର ମେଡିକାଲକୁ ଅଟୋ ଯୋଗେ ଅଣାଯାଇଥିଲା । ପୁଣି ହଷ୍ଟେଲରେ ଥିବା ଆଉ କିଛି ପିଲା ଗୁରୁତର ହେବାରୁ ପରେ ଅନେକ ଛାତ୍ରଛାତ୍ରୀଙ୍କୁ ମେଡିକାଲକୁ ଅଣାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ଜାରି ରହିଛି । ଫୁଡ୍ ପଏଜନିଂ ହୋଇଥାଇପାରେ ବୋଲି ଡାକ୍ତର ଏସ୍ ମଣ୍ଡଳ କହିଛନ୍ତି ।