ବହି ବିକ୍ରି ନାଁରେ ଅଭିଭାବକଙ୍କ ପକେଟ୍ କାଟୁଥିବା ସ୍କୁଲଗୁଡ଼ିକୁ ଚେତାବନୀ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଘରୋଇ ସ୍କୁଲର ମନମାନି ଉପରେ ଏବେ ସରକାରଙ୍କ କଡ଼ା ନଜର । ବହି ବିକ୍ରି ନାଁରେ ଅଭିଭାବକଙ୍କ ପକେଟ୍ କାଟୁଥିବା ସ୍କୁଲଗୁଡ଼ିକୁ ଚେତାବନୀ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ ।ଘରୋଇ ସ୍କୁଲ ଗୁଡ଼ିକରେ ନିଜସ୍ୱ ପ୍ରକାଶନୀ ବହି ବିକ୍ରି କରି ଅଭିଭାବକଙ୍କୁ ଶୋଷଣ କରିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କେତେକ ବେସରକାରୀ ଶିକ୍ଷାନୁଷ୍ଠାନ ଅଧିକ ଲାଭ ଆଶାରେ ନିଜସ୍ୱ ବହି ପଢ଼ିବାକୁ ପିଲାଙ୍କୁ ବାଧ୍ୟ କରୁଛନ୍ତି, ଯାହା ଶିକ୍ଷା ନୀତିର ଖୋଲାଖୋଲି ଉଲ୍ଲଂଘନ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ପିଲାମାନେ NCERT ବହି ପଢ଼ିବା ଆବଶ୍ୟକ, ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ।ମନ୍ତ୍ରୀଙ୍କ ଏହି ବୟାନ ପରେ ଏବେ ଘରୋଇ ସ୍କୁଲ ମାଲିକଙ୍କ ମଧ୍ୟରେ ଛନକା ପଶିଛି । ଅଭିଭାବକମାନେ ଅନେକ ସମୟରେ ଅଭିଯୋଗ କରନ୍ତି ଯେ, ବାହାରେ କମ୍ ଦାମ୍ରେ ବହି ମିଳୁଥିବା ବେଳେ ସ୍କୁଲ ପକ୍ଷରୁ ନିର୍ଦ୍ଦିଷ୍ଟ ଦୋକାନ କିମ୍ବା ସ୍କୁଲ କ୍ୟାମ୍ପସରୁ ଦାମୀ ବହି କିଣିବାକୁ ଚାପ ପକାଯାଉଛି । ଏଣିକି ଏଭଳି ମନମାନି ଉପରେ ଅଙ୍କୁଶ ଲଗାଇବାକୁ ବିଭାଗ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି । ଖୁବଶୀଘ୍ର ଏଥିପାଇଁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହେବାକୁ ଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।