ଖରା ଦିନେ କିପରି ନେବେ ସ୍ୱାସ୍ଥ୍ୟ ର ଯତ୍ନ

ଖରାଦିନ ଆରମ୍ଭ ହେବା ମାତ୍ରେ ଲୋକଙ୍କ ଚିନ୍ତା ବଢିଯାଏ। ଏହି ଦିନରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ବିଶେଷ କରି ଏହି ସମୟରେ ପାଚନ ତନ୍ତ୍ର ଅଧିକ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ ହରମୋନ୍, ମସ୍ତିଷ୍କ ଓ ଖାଦ୍ୟ ନଳୀ ଉପରେ ମଧ୍ୟ କିଛି ପ୍ରଭାବ ପଡ଼ିଥାଏ। ମେଟାବୋଲିଜିମ୍, ରକ୍ତଚାପ, ରକ୍ତ ଶର୍କରା ଓ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ। ଖରାଦିନିଆ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ..

ଖରାଦିନେ ଗରମ ଖାଦ୍ୟର ସେବନ ଖୁବ୍ କମ୍ କରନ୍ତୁ। କାରଣ ଏହାଦ୍ୱାରା ଶରୀରରେ ଉଷ୍ଣତା ବଢିଥାଏ। ଗରମ ଖାଦ୍ୟ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହେବା ସହ ପେଟ ଜନିତ ଅନେକ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଗଳା ଓ ପେଟରେ ଅତ୍ୟଧିକ ଜଳାପୋଡା ଅନୁଭବ ହୋଇଥାଏ।

ଏହି ସମୟରେ ଅଧିକରୁ ଅଧିକ ପାଣି ପିଅନ୍ତୁ। ମାତ୍ର ଫିଜ୍ର ରୁ କାଢି ଥଣ୍ଡା ପାଣି ତୁରନ୍ତ ପିଅନ୍ତୁ ନାହିଁ। ଖରାଦିନେ ସାଧାରଣତଃ ଶରୀରରେ ଜଳୀୟଅଂଶର ମାତ୍ରା କମ୍ ହୋଇଥାଏ। ତେଣୁ ପାଣି ସହ ପଇଡ ପାଣି, ମିଶ୍ରି ପାଣି ମଧ୍ୟ ସେବନ କରନ୍ତୁ। ଏହା ବ୍ୟତୀତ ତରଭୁଜ ମଧ୍ୟ ସେବନ କରି ପାରିବେ। ଏଥିରେ ଜଳୀୟ ଅଂଶର ମାତ୍ରା ଅଧିକ ଥାଏ। ମାଠିଆ ପାଣିର ଅଧିକ ସେବନ କରିବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ।
ଘରୁ ବାହାରକୁ ବାହରିବା ପୂର୍ବରୁ ନିଜ ସହ ପାଣି ବୋତଲ, ଛତା, ଓଦା କପଡା ରଖନ୍ତୁ।
ହାଲୁକା ଓ ସୂତା ପୋଷାକ ପିନ୍ଧନ୍ତୁ।

ଖରାଦିନେ ଶୀଘ୍ର ଉଠନ୍ତୁ। ଶୀଘ୍ର ଉଠିବା ସହ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶାରିରୀକ ଓ ମାନସିକ ଭାବେ ଅତ୍ୟଧିକ ଲାଭ ମିଳିଥାଏ। ଏହାସହ କିଛି ସମୟ ବ୍ୟାୟାମ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

ବାସି ଖାଦ୍ୟର ସେବନ କରନ୍ତୁ ନାହିଁ। ଏହି ଦିନରେ ବାସି ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପେଟରେ ଯନ୍ତ୍ରଣା ସହ ବଦହଜମି ମଧ୍ୟ ହୋଇଥାଏ। ବାନ୍ତି ମଧ୍ୟ ହୋଇଥାଏ। ତେଣୁ ବାସି ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ।

ଏହି ଦିନରେ ସାଧାରଣତଃ ମୁଣ୍ଡ ବୁଲାଇବା, ହାଲିଆ ଲାଗିବା,କାମ କରିବାକୁ ଆଗ୍ରହ ମଧ୍ୟ ହୋଇନଥାଏ। ତେଣୁ କିଛି ସ୍ୱତନ୍ତ୍ର ପାନୀୟକୁ ନିଜ ଖାଦ୍ୟରେ ସାମିଲ୍ କରି ପାରିବେ। ଯେଭଳି କି ଗ୍ଲୁକୋଜ୍, ଫଳ ରସ, ପୋଦିନା ପତ୍ର ପାଣି, ଲେମ୍ବୁ ପାଣି, ଦହି ପାଣି।

Leave a comment