ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି

ବର୍ତ୍ତମାନ ଯେମିତି ଗରମ ହେଉଛି, ଆମ ପିଲାଦିନେ ତା’ଠୁ କମ୍ ଥିଲା । ପୂର୍ବରୁ ପ୍ରତ୍ୟେକ ଋତୁ ପ୍ରାୟ ୪ ମାସର ଥିଲା । କିନ୍ତୁ ବର୍ତ୍ତମାନ ୧୨ ମାସରେ ଅଧିକାଂଶ ମାସ ଗରମ ଅନୁଭୂତ ହେଉଛି । ଏହି ସ୍ଥିତିରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି । ‘ଦ ଲାନ୍ସେଟ ଗ୍ଲୋବାଲ ହେଲ୍ଥ’ ପତ୍ରିକାରେ ପ୍ରକାଶିତ ସଦ୍ୟ ଅଧ୍ୟୟନ ଅନୁସାରେ, ୨୦୫୦ ସୁଦ୍ଧା ତାପମାତ୍ରା ନିରନ୍ତର ବୃଦ୍ଧି ପାଇବା ଯୋଗୁ ଲୋକେ ଶାରୀରିକ ରୂପେ ସକ୍ରିୟ ରହିବେ ନାହିଁ । ଏହି ସ୍ଥିତି ଭାରତ ଭଳି ଉଷ୍ଣ ଦେଶ ପାଇଁ ଆହୁରି ବିପଦପୂର୍ଣ୍ଣ ହେବ, କାରଣ ଏଠାରେ ଉତ୍ତାପର ପ୍ରଭାବ ହାରାହାରି ବିଶ୍ୱଠୁ ବହୁତ ଅଧିକ ହେବାର ଅନୁମାନ କରାଯାଉଛି । ଲାନ୍ସେଟ ରିପୋର୍ଟରେ ୧୫୬ ଦେଶର ତଥ୍ୟ ବିଶ୍ଳେଷଣ କରାଯାଇଛି ।

ଏଥିରେ କୁହାଯାଇଛି, ଯଦି କୌଣସି ମାସର ହାରାହାରି ତାପମାତ୍ରା ୨୭.୮ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ହୋଇଯାଏ, ତେବେ ଲୋକଙ୍କ ଶାରୀରିକ ଗତିବିଧି ହ୍ରାସ ପାଏ । ଭାରତରେ ଏହି ସ୍ଥିତି ଆହୁରି ଗମ୍ଭୀର ହୋଇପାରେ । ଅନୁମାନ କରାଯାଉଛି, ୨୦୫୦ ସୁଦ୍ଧା ଭାରତରେ ଶାରୀରିକ ଗତିବିଧିରେ ପ୍ରାୟ ୨ ପ୍ରତିଶତ ବୃଦ୍ଧି ହେବ । ଏହାର ଅର୍ଥ ଲୋକେ ଗରମ ଭୟରେ ବାହାରକୁ ବାହାରିବା, ବୁଲିବା କିମ୍ବା ବ୍ୟାୟାମ ଆଦି କମ୍ କରିଦେବେ। ଏହା ସିଧାସଳଖ ଜୀବନଶୈଳୀ ସହ ସଂଶ୍ଳିଷ୍ଟ ରୋଗର ବିପଦ ବଢ଼ାଇବ । ଭାରତ ଭଳି ବିକାଶଶୀଳ ଓ ଉତ୍ତପ୍ତ ଦେଶରେ ସଂସାଧନ ସୀମିତ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଉତ୍ତାପ ବୃଦ୍ଧି ଓ ଆର୍ଦ୍ରତା ଯୋଗୁ ଦିନରେ ବାହାରକୁ ବାହାରିବା ହାରାହାରି ଅସମ୍ଭବ ହେଉଛି । ଏହି ସ୍ଥିତିରେ ଯେଉଁମାନେ ସକାଳେ କିମ୍ବା ସନ୍ଧ୍ୟାରେ ପାର୍କରେ ବୁଲୁଥିଲେ, ଦୌଡୁଥିଲେ, ସାଇକେଲ ଚଲାଉଥିଲେ କିମ୍ବା ଯେକୌଣସି ଶାରୀରିକ କାର୍ଯ୍ୟକଳାପ ପାଇଁ ଘରୁ ବାହାରୁଥିଲେ, ସେମାନଙ୍କ ପାଇଁ ବିକଳ୍ପ କମିବାରେ ଲାଗିଛି ।

ସେହିପରି ସହରରେ କଂକ୍ରିଟର ବ୍ୟବହାର ବୃଦ୍ଧି ଏବଂ ଜଙ୍ଗଲ-ବୃକ୍ଷଲତା ହ୍ରାସ ସ୍ଥିତିକୁ ଆହୁରି ବଗାଡ଼ିଛି । ଯେଉଁମାନେ ଶାରୀରିକ ରୂପେ ସକ୍ରିୟ ନୁହଁନ୍ତି, ସେମାନଙ୍କୁ ଅଣ-ସଂକ୍ରମିତ ରୋଗର ଆଶଙ୍କା ଅଧିକ । ଅଧ୍ୟୟନ ଚେତାବନୀ ଦେଇଛି, ବ୍ୟାୟାମ ହ୍ରାସରୁ ହୃଦ୍ରୋଗ, ଟାଇପ୍-୨ ମଧୁମେହ, କର୍କଟ ଓ ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟା ଦ୍ରୁତ ବଢ଼ିବ । ତଥ୍ୟ ଅନୁସାରେ, ଭାରତରେ ଶାରୀରିକ ଗତିହୀନତା ଯୋଗୁ ପ୍ରତି ୧ ଲକ୍ଷ ଲୋକରେ ୧୦.୬୨ ମୃତ୍ୟୁ ଆଶଙ୍କା କରାଯାଇଛି । ଏହା କେବଳ ସ୍ୱାସ୍ଥ୍ୟ ମାମଲା ନୁହେଁ, ବରଂ ଏହା ଦ୍ୱାରା ଦେଶର ଉତ୍ପାଦକତାରେ ମଧ୍ୟ ଖୁବ୍ ହ୍ରାସ ହେବ, ଫଳରେ ବଡ଼ ଆର୍ଥିକ କ୍ଷତି ହେବ ।

Leave a comment