ଆଜି ସେହି କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ୭ ବର୍ଷ ପୂରିଛି,
୧୪ ଫେବ୍ରୁଆରି, ୨୦୧୯ – ଏହି ତାରିଖଟି ଭାରତୀୟ ଇତିହାସର ପୃଷ୍ଠାରେ ଏକ ‘କଳାଦିନ’ ଭାବେ ଲିପିବଦ୍ଧ ହୋଇ ରହିଛି । ସାରା ବିଶ୍ୱ ଯେତେବେଳେ ଭାଲେନଟାଇନ୍ ଡେ’ ପାଳନ କରୁଥିଲା, ସେତେବେଳେ କାଶ୍ମୀରର ପୁଲୱାମା ମାଟି ଆମ ବୀର ଯବାନଙ୍କ ରକ୍ତରେ ଭିଜି ଯାଇଥିଲା । ଆଜି ସେହି ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ୭ ବର୍ଷ ପୂରିଛି, କିନ୍ତୁ ସେହି କରାଳ ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ଛାତିକୁ ଥରାଇ ଦିଏ ।
ସେଦିନର ଘଟଣା ଥିଲା ଅତ୍ୟନ୍ତ ହୃଦୟବିଦାରକ । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସିଆରପିଏଫର ୭୮ଟି ଗାଡ଼ିର ଏକ ବିଶାଳ କାଫିଲା ଯାଉଥିଲା । ସେଥିରେ ପ୍ରାୟ ୨୫୦୦ ଯବାନ ଟ୍ରାଞ୍ଜିଟ କ୍ୟାମ୍ପରୁ ଫେରୁଥିଲେ । ସବୁକିଛି ସ୍ୱାଭାବିକ ଥିଲା, ହେଲେ ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟରେ ହଠାତ ଶୁଭିଥିଲା ଏକ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ । ଆତଙ୍କବାଦୀ ଆଦିଲ ଅହମ୍ମଦ ଡାର୍ ବିସ୍ଫୋରକ ଭର୍ତ୍ତି ଏକ କାର୍ ନେଇ ଯବାନଙ୍କ ବସକୁ ଧକ୍କା ଦେଇଥିଲା । ଏହି ଆତ୍ମଘାତୀ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ବିସ୍ଫୋରଣର ଶବ୍ଦ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା।
ମାତ୍ର କିଛି ମିନିଟ୍ ମଧ୍ୟରେ ସେହି ସ୍ଥାନଟି ଏକ ଶ୍ମଶାନରେ ପରିଣତ ହୋଇଗଲା । ରାସ୍ତାରେ ଚାରିଆଡେ ଯବାନଙ୍କ ରକ୍ତ ଏବଂ ଶରୀରର ଅଂଶ ବିଛାଡି ହୋଇ ପଡିଥିଲା । ଏହି କାପୁରୁଷୋଚିତ ଆକ୍ରମଣରେ ଭାରତ ମା’ର ୪୦ ଜଣ ବୀର ସନ୍ତାନ ସହିଦ ହୋଇଗଲେ । ଓଡ଼ିଶାର ଦୁଇ ବୀର ସନ୍ତାନ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ କୁମାର ବେହେରା ମଧ୍ୟ ଏହି ଆକ୍ରମଣରେ ନିଜ ଜୀବନ ବଳିଦାନ ଦେଇଥିଲେ ।
ଏହି ଘଟଣା ପରେ ସାରା ଦେଶରେ କ୍ରୋଧ ଏବଂ ଶୋକର ଲହରୀ ଖେଳିଯାଇଥିଲା। ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଏକ ପ୍ରକାର ନୀରବତା ଛାଇ ଯାଇଥିଲା । କିଏ ନିଜର ପୁଅକୁ ହରାଇଥିଲା ତ କିଏ ନିଜ ସ୍ୱାମୀକୁ, ଆଉ କିଏ ନିଜ ବାପାର ଛାୟା ହରାଇ ସାରା ଜୀବନ ପାଇଁ ଅନାଥ ହୋଇଯାଇଥିଲା । ସେହି ପରିବାର ଗୁଡିକ ପାଇଁ ସମୟ ଯେମିତି ସେଇଠି ଅଟକି ଯାଇଛି । ଆମେ ବର୍ଷକୁ ଥରେ ସେମାନଙ୍କୁ ସମ୍ମାନ ଜଣାଇ ନିଜ କାମ ସାରିଦେଉ, କିନ୍ତୁ ସେହି ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କ ଆଖିରୁ ଲୁହ ଆଜି ବି ଶୁଖିନି।
ପୁଲୱାମା ଆକ୍ରମଣ ଭାରତ ପାଇଁ କେବଳ ଏକ ଆଘାତ ନଥିଲା, ବରଂ ଏହା ଥିଲା ଶତ୍ରୁମାନଙ୍କୁ ଦୃଢ ଜବାବ ଦେବାର ଏକ ସଂକଳ୍ପ । ଏହି ବୀର ଯବାନଙ୍କ ବଳିଦାନ ଦେଶର ପ୍ରତିଟି ନାଗରିକଙ୍କୁ ଦେଶପ୍ରେମର ଶିକ୍ଷା ଦିଏ । ସେମାନେ ଚିରଦିନ ପାଇଁ ଆମ ମନରେ ଅମର ହୋଇ ରହିବେ । ଆଜିର ଦିନରେ ସେହି ପୁଲୱାମା ଶହୀଦଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସେହି ଅମର ଆତ୍ମାଙ୍କୁ କୋଟି କୋଟି ପ୍ରଣାମ। ଭାରତ କେବେ ବି ଭୁଲିବନି ଏହି ବଳିଦାନ, କେବେ ବି କ୍ଷମା କରିବନି ସେହି ସୈତାନଙ୍କୁ ।