ମନ୍ଦିରକୁ ପ୍ଲାଷ୍ଟିକ୍‌ ମନା,ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ,ନିର୍ଦ୍ଦେଶାବଳୀ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ମନ୍ଦିରକୁ ପ୍ଲାଷ୍ଟିକ୍‌ ମନା। ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ। ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ। ନିର୍ଦ୍ଦେଶାବଳୀ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।ଏଣିକି ମନ୍ଦିର ପରିସରକୁ ପଲିଥିନ୍‌ କିମ୍ବା ପ୍ଲଷ୍ଟିକ୍‌ରେ ଭୋଗ ନେଇହେବ ନାହିଁ। ପୂଜା ସାମଗ୍ରୀ,ପ୍ରସାଦ ସେବନ କରିବା ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ ହୋଇଛି । ପ୍ଲାଷ୍ଟିକ୍‌, ପଲିଥିନ୍‌ ପରି ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍‌ପିସିବି କହିଛି। ଏଥିସହ ଭକ୍ତ, ପୂଜା ସାମଗ୍ରୀ ବିକ୍ରୟ ବ୍ୟବସାୟୀ, ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି ।ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ମନ୍ଦିର ପରିସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ବାରଣ ହୋଇଛି। ମନ୍ଦିରକୁ ପୂଜା ପ୍ରସାଦ ନେବା ପାଇଁ ବାଉଁଶ ଟୋକେଇ, ପତ୍ର ତିଆରି ଠୋଲା, ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ଟୋକେଇ ବ୍ୟବହାର କରିପାରିବେ। ବ୍ୟବସାୟୀମାନେ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ପଲିଥିନ୍‌, ପ୍ଲାଷ୍ଟିକ୍‌ରେ ସାମଗ୍ରୀ ବିକ୍ରୟ କରିବେ ନାହିଁ। ତା’ ବଦଳରେ ପତ୍ର, ବାଉଁଶ ଟୋକେଇରେ ପୂଜା ସାମଗ୍ରୀ ଓ ପ୍ରସାଦ କ୍ରୟ ବିକ୍ରୟ କରିବାକୁ ପରାମର୍ଶ ଦିଆଯାଇଛି ।

Leave a comment