ଆଜି ପ୍ରଥମାଷ୍ଟମୀ , ଘରେ ଘରେ ଏଣ୍ଡୁରୀ ପିଠା ମହକ
ଆଜି ପ୍ରଥମାଷ୍ଟମୀ । ଘରର ବଡ଼ ମାନେ ନୂଆ ବସ୍ତ୍ର ପିନ୍ଧିବା ପରମ୍ପରା ରହିଛି । ଏହି ଅବସରରେ ଘରେ ଘରେ ପିଠାପଣା ହେବ। ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା ବି କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଥମାଷ୍ଟମୀରେ ହେଉଥିବା ଏଣ୍ଡୁରୀ ପିଠା ହଳଦୀପତ୍ରରେ କରାଯାଏ । ସେଥିପାଇଁ ହାଟ ବଜାରରେ ବିକ୍ରି ହେଉଛି ହଳଦୀପତ୍ର। ବିଡ଼ାଏ ହଳଦୀ ପତ୍ର ୧୦ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ରହି ଛି। ଆଜି ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ବଡଠାକୁର ।
ଏଥିପାଇଁ ନିଆଳି ମାଧବାନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ପୁଣ୍ୟତୋୟା ପ୍ରାଚୀ ତଟରୁ ଶ୍ରୀକ୍ଷେତ୍ର ଆସିଛି ପୋଢୁଆଁ ଭାର । ଭଣଜାଙ୍କ ପାଇଁ ନୂଆବସ୍ତ୍ର ଓ ଫଳମୂଳ ପଠାଇଛନ୍ତି ନିଆଳିର ମାଧବାନନ୍ଦ ଜୀଉ । ମାମୁ ପଠାଇଥିବା ବସ୍ତ୍ର ପିନ୍ଧି ପୋଢୁଆଁ ହେବେ ବଡ଼ଠାକୁର । ଶ୍ରୀଜୀଉଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ପାନ, ଗୁଆ, କର୍ପୂର, ଅଗୁର ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ନେଇ ପୁରୀ ଅଭିମୁଖେ ଯାଇଛନ୍ତି ୨୦ ଜଣ ବେହେରା ସେବକ। ୭ ବର୍ଷ ହେଲା ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିର ଯାଉଛି ପୋଢୁଆଁ ଭାର ।
ବଡ଼ କଥା ହେଉଛି ପୋରୁହାଁ ପିଲାମାନଙ୍କୁ ଏହି ପର୍ବ ପାଇଁ ମାମୁଘରୁ ନୂଆ ପୋଷାକ ମିଳିଥାଏ । ମାମୁଘରେ ଭଣଜା ପୁଅଠୁ ବି ଅଧିକ ବୋଲି ବିବେଚନା କରାଯାଉଥିବାରୁ ମାମୁଘରୁ ନୂଆ ପୋଷାକ ମିଳିବା ପ୍ରଥା ଚଳିଆସୁଛି । ଏହି ଅବସରରେ ବଡ଼ସନ୍ତାନମାନଙ୍କୁ ଷଷ୍ସଠୀଦେବୀଙ୍କ ନିକଟରେ ବନ୍ଦାପନା ପୂଜା କରାଯାଇଥାଏ । ହଳଦୀପତ୍ର ପିଠା ଓ ଖିରି ଷଠୀଦେବୀଙ୍କୁ ଲାଗି କରାଯାଏ । ତେଣୁ ରାତିରୁ ଘରେ ଘରେ ବିରି ବଟାରୁ ଆରମ୍ଭ କରି ନଡ଼ିଆ, ମୁଗ, ବିରି, ଗୁଡ଼ ମିଶ୍ରିତ ପୁର ପ୍ରସ୍ତୁତି ଚାଲିଛି ।