ଡିସେମ୍ବର ୨୪ ତାରିଖରୁ ଜାନୁଆରି ୩ ତାରିଖ ଯାଏଁ ଅନୁଷ୍ଠିତ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରି ୩ ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ମହୋତ୍ସବ ସମିତି ପକ୍ଷରୁ କୁହାଯାଇଛି। ଏଥିପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ, ପୌରାଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ସମିତିର ବିଭିନ୍ନ କମିଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ସମିତିର ସଂପାଦକ ସୁରେଶ୍ୱର ଶତପଥିଙ୍କ ସଂଯୋଜନାରେ ବୈଠକରେ  କଳାକାର ଚୟନ ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ୩ ବର୍ଷରେ ଥରେ କଳାକାର ଚୟନ ପ୍ରକ୍ରିୟା ହୁଏ। ଏଥିପାଇଁ ଏଥର କଳାକାର ଉପଦେଷ୍ଟା କମିଟିକୁ ଚୟନ ଦାୟିତ୍ୱ ଦିଆଯାଇଛି। ୫ ଜଣିଆ ଜୁରି କମିଟି ଗଠନ କରାଯାଇ ମହାରାଜ କଂସଙ୍କଠାରୁ ନେଇ ସମସ୍ତ କଳାକାରମାନଙ୍କୁ ଚୟନ କରିବା ପାଇଁ ନିଷ୍ପତ୍ତି କରାଯାଇଛି। ସେହିପରି ଧନୁଯାତ୍ରାକୁ ଆକର୍ଷଣୀୟ କିପରି ଅଧିକ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଏହାସହ ଭିଡକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା।

ବିଗତ ବର୍ଷର କିଛି ଭୁଲତୃଟିକୁ ମଧ୍ୟ ସୁଧାର ଆଣିବା ଦିଗରେ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ବିଧାୟକ ଶ୍ରୀ ଷଡଙ୍ଗୀ ଧନୁଯାତ୍ରାକୁ ସଫଳ କରିବା ଦିଗରେ ଯାହା ପଦକ୍ଷେପ ନେବା କଥା ନିଆଯାଉ ଓ ସେ ସବୁ ପ୍ରକାର ସହାୟତା ଦେବେ ବୋଲି କହିଥିଲେ। ଅତାବିରା ବିଧାୟକ ଶ୍ରୀ ମହାନନ୍ଦ ଓ ପଦ୍ମପୁର ବିଧାୟିକା ଶ୍ରୀମତୀ ବରିହା ଆଇନଶୃଙ୍ଖଳା ତଥା ଯାତ୍ରା ଦେଖିବାକୁ ଆସୁଥିବା ଲୋକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଏସପିଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷବ୍ୟକ୍ତ କରିଥିଲେ। ଏସବୁ ଭିତରେ ଧନୁଯାତ୍ରା କିଭଳି ବିଶ୍ୱ ଦରବାରରେ ପ୍ରଶଂସିତ ହେବ ସେ ଦିଗରେ ସବୁପ୍ରକାର ପଦକ୍ଷେପ ଚଳିତ ବର୍ଷ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅଧିକାରୀ, ମହୋତ୍ସବ ସମିତିର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a comment