କୋଷ୍ଠକାଠିନ୍ୟ ପାଇଁ ରାମବାଣ ଭଳି କାମ କରେ ଛଚିନ୍ଦ୍ରା
ଯଦି ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ପାଉଛି ତେବେ ଖାଦ୍ୟରେ କିଛିଟା ପରିବର୍ତ୍ତନ କରନ୍ତୁ । ଏହାର ସୁଫଳ ଆପଣ ନିଶ୍ଚିତ ଭାବରେ ପାଇପାରିବେ । ଖାସ୍ କରି ଖାଦ୍ୟରେ ପରିବା ସାମିଲ କରିବାକୁ ଡାକ୍ତର ମଧ୍ୟ ପରାମର୍ଶ କରିଥା’ନ୍ତି । ପ୍ରତିଟି ପରିବାରେ କିଛି ନା କିଛି ଔଷଧୀୟ ଗୁଣ ଗଚ୍ଛିତ ହୋଇ ରହିଥାଏ । ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ । ଏମିତି ହିଁ ଗୋଟିଏ ପରିବା ହେଉଛି ଛଚିନ୍ଦ୍ରା । ଫାଇବରରେ ଭରପୂର ଛଚିନ୍ଦ୍ରା ଏକ ପାଣିଯୁକ୍ତ ପରିବା ହୋଇଥିବାରୁ ବୃଦ୍ଧି ହୋଇଥିବା ପ୍ୟୁରିନ୍ ସ୍ତରକୁ ହ୍ରାସ କରିବାରେ ଏହା ସାହାଯ୍ୟ କରେ । ବଢ଼ୁଥିବା ପ୍ୟୁରିନ୍ ସ୍ତର ହାଡ଼ରେ ପଥର ଗଠନ କରି ଗଣ୍ଠିବାତ ସୃଷ୍ଟି କରିପାରେ । ଏପରି ପରିସ୍ଥିତିରେ ପାଣି ଏବଂ ଫାଇବରରେ ଭରପୂର ଛଚିନ୍ଦ୍ରା ଉଚ୍ଚ ୟୁରିକ୍ ଏସିଡ୍ ସ୍ତରକୁ ହ୍ରାସ କରିବାରେ ଏବଂ ଏହି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିପାରେ । କେବଳ ୟୁରିକ୍ ଏସିଡ୍ ସ୍ତରକୁ କମାଇବାରେ ନୁହେଁ ଛଚିନ୍ଦ୍ରା କୋଷ୍ଠକାଠିନ୍ୟ ପାଇଁ ମଧ୍ୟ ରାମବାଣ ଭଳି କାମ କରେ । ଏହି ପରିବା ଫାଇବର ମେଟାବୋଲିଜିମକୁ ତ୍ୱରାନ୍ୱିତ କରେ ଏବଂ ପାଚନ ଓ ଅନ୍ତନଳୀ କାର୍ଯ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଛଚିନ୍ଦ୍ରା ଖାଇବା ଦ୍ବାରା ମଳତ୍ୟାଗ ପ୍ରକ୍ରିୟା ସହଜ ହୋଇଥାଏ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ । ଫ୍ୟାଟି ଲିଭର ସମସ୍ୟା ପାଇଁ ଛଚିନ୍ଦ୍ରା ଏକ ଉତ୍ତମ ଖାଦ୍ୟ । ପ୍ରକୃତରେ, ଏହା ଦୁଇଟି ଉପାୟରେ କାମ କରେ । ପ୍ରଥମତଃ, ଏହା ଆପଣଙ୍କ ଲିଭରରେ ଚର୍ବିର ପରିମାଣ ହ୍ରାସ କରେ ଏବଂ ଦ୍ୱିତୀୟରେ ଏହା ଆପଣଙ୍କ ଶରୀରରେ ବିଷାକ୍ତ ପଦାର୍ଥର ପରିମାଣ ହ୍ରାସ କରେ । ସେହିପରି, ଏହା ଲିଭର କ୍ଲିନର୍ ଭାବରେ ମଧ୍ୟ କାମ କରେ ଏବଂ ଆପଣଙ୍କୁ ଫ୍ୟାଟି ଲିଭର ଭଳି ଅନେକ ଲିଭର ସମ୍ବନ୍ଧୀୟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ତେଣୁ ଆପଣ ଯଦି ଛଚିନ୍ଦ୍ରା ଖାଇବାକୁ ପସନ୍ଦ କରୁନାହାନ୍ତି ତେବେ ଆଜି ହିଁ ନିଜ ସ୍ବାସ୍ଥ୍ୟ ପାଇଁ ଏହି ପରିବା ଖାଇବା ଆରମ୍ଭ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।