ଦୁର୍ଗାପୂଜାରେ କ’ଣ କରାଯିବ ଓ କ’ଣ କରାଯିବ ନେଇ ସେନେଇ ବିଏମ୍ସି ପକ୍ଷରୁ ପରାମର୍ଶ ଜାରି
ଦିନକ ପରେ ଶାରଦୀୟ ଦୁର୍ଗାପୂଜାର ନବରାତ୍ରୀ ଆରମ୍ଭ ହୋଇଯିବ। ଆସନ୍ତା ୨୭ ତାରିଖ ଠାରୁ ଷଷ୍ଠୀ ପୂଜା ଅବସରରେ ରାଜଧାନୀ ଭୁବନେଶ୍ବରର ୧୭୦ରୁ ଅଧିକ ଦୁର୍ଗାପୂଜାସ୍ଥଳରେ ଜନଗହଳି ଆରମ୍ଭ ହୋଇଯିବ। ତେବେ ମେଢ଼ରେ ଦୁର୍ଗାପୂଜା ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଦୁର୍ଗାପୂଜାରେ କ’ଣ କରାଯିବ ଓ କ’ଣ କରାଯିବ ନେଇ ସେନେଇ ବିଏମ୍ସି ପକ୍ଷରୁ ପରାମର୍ଶ ଦିଆଯାଇଛି।
ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି, ପ୍ଳାଷ୍ଟିକ ମୁକ୍ତ ପୂଜାକୁ ବିଏମସି ଗୁରୁତ୍ବ ଦେଇଛି। ଏଥର ବିଏମ୍ସି ଅଞ୍ଚଳରେ ମା’ ୧୭୨ ମଣ୍ଡପରେ ପୂଜା ପାଇବେ। ମଣ୍ଡପରେ ସ୍ବଚ୍ଛ ପରିବେଶ ଓ ପାର୍କିଂ ଉପରେ ଗୁରୁତ୍ବ ଦିଆଯିବାକୁ ବିଭିନ୍ନ ପୂଜା କମିଟିକୁ କୁହାଯାଇଛି। ଶ୍ରେଷ୍ଠ ମଣ୍ଡପକୁ ବିଏମସି ପୃରଷ୍କାର ସହିତ ସମ୍ମାନିତ କରିବ। ଆସନ୍ତା ୨୫ ତାରିଖ ଶୁଦ୍ଧା କାମ ସାରିବାକୁ କୁହାଯାଇଛି। ମୂର୍ତ୍ତିରେ କୌଣସି ପ୍ରକାର ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର କରନ୍ତୁ ନାହିଁ। ପୂଜା ମଣ୍ଡପ ପାଖରେ ଓଦା ଓ ସୁଖିଲା ବର୍ଜ୍ଯ ଲାଗି ଅଲଗା ଡଷ୍ଟବିନ୍ ବ୍ଯବହାର ସହତି ସବୁଦିନ ସଂଗୃହୀତ ଆବର୍ଜନାକୁ ସଫେଇ ଗାଡ଼ିରେ ଦେବେ। ପୂଜାରେ ବ୍ଯବହୃତ ଫୁଲରୁ ଧୂପକାଠି ତିଆରି ହେବ। ପ୍ରସାଦ ଇତ୍ୟାଦି ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲି ଇତ୍ୟାଦି ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି।
ସେହିପରି ବିଏମ୍ସି ଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରନ୍ତୁ, ଯେଉଁମାନେ ସାମୂହିକ ପୂଜା କରୁଛନ୍ତି। ସେହି ସ୍ଥାନର ୫ ମିଟର ଚର୍ତଃପାଶ୍ୱର୍କୁ ନିଜ ଦାୟିତ୍ୱରେ ସଫା ରଖନ୍ତୁ। ପୂଜା ମଣ୍ଡପ ନିକଟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହେବା ପାଇଁ ଆଖ ପାଖରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବେ ପୂଜା କମିଟି। କମିସନରେଟ ପୁଲିସର ବିନା ଅନୁମତିରେ ଡାକବାଜି ଯନ୍ତ୍ର ବଜାଇବା, ଦୁର୍ଗାପୂଜା ମଣ୍ଡପଠାରେ କୌଣସି ସ୍ଥାୟୀ ନିର୍ମାଣ କରିବା, ଅଗ୍ନିକାଣ୍ଡ ଘଟାଇବା ଭଳି କୌଣସି ଜ୍ୱଳନଶୀଳ ସାମଗ୍ରୀ ଯଥା-ଧୂପ, ଦୀପ ଇତ୍ୟାଦିକୁ ଅଣଦେଖା କରିବା ଚିହ୍ନିତ ସ୍ଥାନ ବ୍ୟତିତ ଅନ୍ୟ କୌଣସି ପ୍ରାକୃତିକ ଜଳାଶୟରେ ମୂର୍ତି ବିସର୍ଜନ କରିବା ଠାରୁ ଦୂରେଇ ରହିବାକୁ ମାର୍ଗଦର୍ଶିକା ଜାରି ହୋଇଛି।