ରୋଗୀଙ୍କ ମୃତଦେହକୁ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ରଖିପାରିବ ନାହିଁ ଘରୋଇ ହସ୍ପିଟାଲ
ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆସାମ ସରକାର ଘୋଷଣା କରିଛନ୍ତି ଯେ ଚିକିତ୍ସା ବିଲ୍ ବାକି ଥିବା କ୍ଷେତ୍ରରେ ଏବେ କୌଣସି ଘରୋଇ ହସ୍ପିଟାଲ ରୋଗୀଙ୍କ ମୃତଦେହକୁ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ରଖିପାରିବ ନାହିଁ । କ୍ୟାବିନେଟ୍ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ‘ମୃତ ଶରୀରକୁ ଧରି ପରିବାର ଉପରେ ଚାପ ପକାଇବା ଅମାନବୀୟ । କୌଣସି ପରିସ୍ଥିତିରେ ହସ୍ପିଟାଲଗୁଡ଼ିକୁ ଏହା କରିବାକୁ ଅନୁମତି ଦିଆଯିବ ନାହିଁ ।’
ସେ କହିଛନ୍ତି, ‘ଏବେ କୌଣସି ଘରୋଇ ହସ୍ପିଟାଲ କୌଣସି ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବ ନାହିଁ । ମୃତ୍ୟୁ ନିଶ୍ଚିତ ହେବାର ଦୁଇ ଘଣ୍ଟା ମଧ୍ୟରେ ମୃତଦେହକୁ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବା ବାଧ୍ୟତାମୂଳକ ହେବ, ଚିକିତ୍ସା ପାଇଁ ଦେୟ ବାକି ଥିଲେ ବି ମୃତଦେହକୁ ଛାଡ଼ିବାକୁ ବାଧ୍ୟ ହେବେ ହସ୍ପିଟାଲ କର୍ତ୍ତୃପକ୍ଷ । ଯଦି ହସ୍ପିଟାଲ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ପାଇଁ ମୃତଦେହକୁ ରଖିଥାଏ, ତେବେ ଏହା ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ସରକାର ଏକ ୨୪ ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୦୪ ଆରମ୍ଭ କରିବେ, ଯେଉଁଥିରେ ଲୋକମାନେ ମୃତଦେହ ହସ୍ତାନ୍ତର ନ ହେବା ବିଷୟରେ ଅଭିଯୋଗ ପଞ୍ଜିକରଣ କରିପାରିବେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଭିଯୋଗ ପଞ୍ଜିକୃତ ହେବା ମାତ୍ରେ ଏହାକୁ ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ସ୍ଥାନୀୟ ପୋଲିସ ଏବଂ ହସ୍ପିଟାଲର ଅଭିଯୋଗ ସମାଧାନ କମିଟିକୁ ପଠାଯିବ । ଯଦି କୌଣସି ହସ୍ପିଟାଲ ଦ୍ୱାରା ଭୁଲ ଭାବରେ ମୃତଦେହ ରଖାଯାଇଥାଏ, ତେବେ ସମ୍ପୃକ୍ତ ଅଧିକାରୀ ଘଟଣାସ୍ଥଳକୁ ଯାଇ ପରିବାରକୁ ମୃତଦେହ ହସ୍ତାନ୍ତର କରିବେ ଏବଂ ହସ୍ପିଟାଲ ପ୍ରଶାସନ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତଦେହକୁ ଅଯଥାରେ ଅଟକାଇ ରଖିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ଘରୋଇ ହସ୍ପିଟାଲକୁ ୩ରୁ ୬ ମାସ ପାଇଁ ଲାଇସେନ୍ସ ନିଲମ୍ବନ ଏବଂ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା ହୋଇପାରେ । ଯଦି ଏପରି ଭୁଲ ପୁନରାବୃତ୍ତି ହୁଏ, ତେବେ ହସ୍ପିଟାଲର ପଞ୍ଜିକରଣକୁ ସ୍ଥାୟୀ ଭାବରେ ବାତିଲ ମଧ୍ୟ କରାଯାଇପାରିବ ।