ଆଜି ଠାରୁ ପୁଣି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ନବରଙ୍ଗପୁର ଜିଲ୍ଲାରେ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ସ୍ୱାସ୍ଥ୍ୟ ଶିବିରରେ ଓଡ଼ିଶାର ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସେବା ଯୋଗାଇ ଦିଆଯାଇଛି । ଶିବିରରେ ବଡ଼ବଡ଼ ଜଟିଳ ରୋଗର ଚିକିତ୍ସା କରିବେ ବଡ଼ ଡାକ୍ତର ।

ଦେଢ଼ ବର୍ଷର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ହାତପାଆନ୍ତାରେ ବଡ଼ ବଡ଼ ରୋଗର ଚିକିତ୍ସା ସେବା ପାଇବେ ଜିଲ୍ଲାବାସୀ । ଶିବିରରେ ୟୁରୋଲୋଜି, କିଡନୀଜନିତ ରୋଗ, ହୃଦରୋଗ, ପେଟ ଜନିତ ଜଟିଳ ରୋଗ, ଗଳଗଣ୍ଡ ରୋଗ, ମଧୁମେହ, ଜଟିଳ ଅନ୍ତନଳୀ ରୋଗ, ସ୍ନାୟୁଜନିତ ରୋଗ ଚିକିତ୍ସା କରାଯିବ । ରାଜ୍ୟର ବଡ଼ ଡାକ୍ତରଖାନା କଟକ ବଡ଼ ମେଡିକାଲ ସମେତ ବିଭିନ୍ନ ମେଡିକାଲର ସୁପର ସ୍ପେସିଆଲିଷ୍ଟ ଡକ୍ଟର ଆସି ଚିକିତ୍ସା ସେବା ଯୋଗାଉଛନ୍ତି । ଶିବିରରେ ରୋଗ ନିରୂପଣ କରି ଆବଶ୍ୟକ ଅସ୍ତ୍ରୋପଚାର କରାଯିବ । ଏନେଇ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କୁ ପରାମର୍ଶ କରି ରୋଗୀମାନେ ନାମ ପଞ୍ଜୀକରଣ କରିଛନ୍ତି । କେବଳ ପଞ୍ଜୀକୃତ ରୋଗୀଙ୍କୁ ସମସ୍ତ ଚିକିତ୍ସା ସୁବିଧା ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ସରକାର ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ଏହି ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି ।

ଶିବିରର ପ୍ରଥମ ଦିନରେ ସ୍ପେସିଆଲିଷ୍ଟ ଡକ୍ଟର ରୋଗୀଙ୍କ ସ୍କ୍ରିନିଂ କରିବା ସହ ପ୍ରାଥମିକ ଚିକିତ୍ସା କରି ବିଭିନ୍ନ ପରୀକ୍ଷା କରିଛନ୍ତି । ଆସନ୍ତାକାଲି ଆଉ ସୁପର ସ୍ପେସିଆଲିଷ୍ଟ ଡକ୍ଟର ପହଞ୍ଚିବା ପରେ ରୋଗୀଙ୍କୁ ଅଧିକ ଚିକିତ୍ସା କରାଯିବ । ଆବଶ୍ୟକ ସ୍ଥଳେ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବା ସହିତ ଜରୁରୀ ରୋଗୀଙ୍କୁ ମେଡ଼ିକାଲରେ ଆଡମିଟ କରି ଚିକିତ୍ସା କରାଯିବ ।ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । ପର୍ଯ୍ୟାୟକ୍ରମେ ଏହା ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ କରାଯିବ ।

Leave a comment