ମେଟ୍ରୋ ଓଡିଶା (୯.୪.୨୦୨୨ )
ନିଲାମ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ମରିଚି କୁଣ୍ଡ ପାଣି । ୧ ଲକ୍ଷ ୭୭ ହଜାର ଟଙ୍କାରେ ନିଲାମ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ଏହି ମରିଚି କୁଣ୍ଡ ପାଣି। ମିଳିଥିବା ସୂଚନା ମୁତାବକ, ପ୍ରଥମ ଗରା ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମୀ ହୋଇଛି । ପ୍ରଥମ ଗରା ପାଣିକୁ ଭୁବନେଶ୍ୱର ବରମୁଣ୍ଡା ରେଣ୍ଟାଲ କଲୋନୀର ବିରଞ୍ଚି ପ୍ରଧାନ ଓ ତାଙ୍କ ପତ୍ନୀ ସୁନନ୍ଦା ପ୍ରଧାନ ନିଲାମୀ ପ୍ରକ୍ରିୟା ସାମିଲ ହୋଇ ପାଣିକୁ ନେଇଥିଲେ।

ଅନ୍ୟପଟେ ଦ୍ୱିତୀୟ ଗରା ପାଣିକୁ ଭୁବନେଶ୍ୱର ସରକନ୍ତରା ବାହାଦଲପୁର ସରସ୍ୱତୀ ସାହୁ ୪୭ ହଜାର ଟଙ୍କାରେ ନେଇଛନ୍ତି । ତେବେ ଏହି ମରିଚି କୁଣ୍ଡ ପାଣି ନେଇ ସ୍ନାନ କଲେ ସନ୍ତାନ ଲାଭ ହେବାର ସୌଭାଗ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଯେଉଁଥି ପାଇଁ ଭକ୍ତମାନେ ଅଶୋକାଷ୍ଟମୀ ରଥ ଯାତ୍ରା ପୂର୍ବ ଦିନ ଏହି ମରିଚି କୁଣ୍ଡ ପାଣି ନେବାକୁ ଧାଡି ହୋଇ ଠିଆ ହୋଇଥାନ୍ତି । ସୂଚନା ଅନୁଯାଇ , ଗତକାଲି ସପ୍ତମୀ ତିଥିରେ କେଦାରଗୌରୀ ନିକଟ ମୁକ୍ତେଶ୍ୱର ମନ୍ଦିର ନିକଟ ମରୀଚି କୁଣ୍ଡରୁ ଜଳ ସଂଗ୍ରହ କରାଯାଇ ରାତି ପ୍ରାୟ ୧୧ଟାରେ ମରୀଚି କୁଣ୍ଡରୁ ଜଳ ଉଠିଥିଲା। ରଥ ପ୍ରତିଷ୍ଠା ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମରୀଚି କୁଣ୍ଡ ପାଣି ନିଲାମ ହୋଇଥିଲା।