ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା

ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। ଏଥିପାଇଁ ଏବେଠୁ ଚଳଚଞ୍ଚଳ ବରଗଡ଼ ସହର। ୧୧ ଦିନର ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଅଭିନୟକୁ ଜୀବନ୍ତ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି କଳାକାର।

ଦେବକୀଙ୍କ ବିବାହ ପାଇଁ ଚିନ୍ତିତ ମହାରାଜ ଉଗ୍ରସେନ। ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା। ବିଚାର ବିମର୍ଷ ପରେ ବାସୁଦେବଙ୍କ ସହ ଝିଅର ବିବାହ ପାଇଁ ରାଜି ହୋଇଛନ୍ତି ଉଗ୍ରସେନ। ବରଗଡ଼ ମୁକ୍ତାକାଶ ରଙ୍ଗମଂଚରେ ଆୟୋଜିତ ଧନୁଯାତ୍ରା ପାଇଁ ନିଜକୁ ଏହିଭଳି ଢଙ୍ଗରେ ପ୍ରସ୍ତୁତ କରୁଛନ୍ତି ପ୍ରତିଟି କଳାକାର। ଦେବକୀ-ବାସୁଦେବଙ୍କ ବିବାହ, ଦୈଵବାଣୀ, କଂସଙ୍କ ସିଂହାସନ ଆରୋହଣର ପ୍ରତିଟି ଦୃଶ୍ୟକୁ ଜୀବନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି କଳାକାର। ଯାତ୍ରାର ମହାନାୟକ ତଥା ମହାରାଜ କଂସ ମଧ୍ୟ ନିଜକୁ ପୂର୍ଣ୍ଣ ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି।

ବରଗଡ଼ କଲ୍ୟାଣ ମଣ୍ଡପ ଆଖଡାଶାଳରେ କଳାକାରଙ୍କ ରିହାରସେଲ ଚାଲିଛି। ବରଗଡ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ କଳାକାରଙ୍କୁ ଉତ୍ସାହିତ କରିଛନ୍ତି। କଳାକାରଙ୍କୁ ଅଭିନୟ ଶିକ୍ଷା ଦେଉଛନ୍ତି ଯୁବ ନିର୍ଦ୍ଦେଶକ ଅଶୋକ ବେହେରା। ନିର୍ଦେଶକ ମଣ୍ଡଳୀ ପକ୍ଷରୁ କଳାକାରଙ୍କ ସଂଳାପ, ଅଙ୍ଗଭଙ୍ଗୀ, ଯୁଦ୍ଧ କୌଶଳ ସମେତ ଚରିତ୍ର ଅନୁଯାୟୀ ଅଭିନୟ ଉପରେ ଶିକ୍ଷା ଦିଆଯାଉଛି।

ଆଧୁନିକ ଯୁଗରେ ଦ୍ବାପର ଯୁଗର ଭ୍ରମ ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଛି। ଜାନୁଆରୀ ୩ ତାରିଖରୁ ୧୩ ତାରିଖ ଯାଏଁ ଅନୁଷ୍ଠିତ ହେବ ବରଗଡ଼ର ୭୭ତମ ଧନୁଯାତ୍ରା ମହୋତ୍ସବ। ତେଣୁ ଜୋରଦାର ହୋଇଛି ପ୍ରସ୍ତୁତି।