ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :
ଓଡିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ଏହାପରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ । ୩ଟା ୦୫ରେ ପୁରୀ ହେଲିପ୍ୟାଡରେ ପହଁଚିବେ ।

ପୁରୀରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର କାରକେଡ୍ରେ ଏକ ଘରୋଇ ହୋଟେଲକୁ ଯିବେ । ସେଠାରୁ ରାଷ୍ଟ୍ରପତି ୪ଟା ୫୫ରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିରରେ ୪୫ ମିନିଟ୍ ଅତିବାହିତ କରିବା ପରେ ୫ଟା ୪୫ରେ ହୋଟେଲକୁ ଫେରିବେ ରାଷ୍ଟ୍ରପତି । ହୋଟେଲରେ ରାତ୍ରିଯାପନ କରିବେ । ରାଷ୍ଟ୍ରପତି ୨୦ ତାରିଖ ସକାଳ ୧୦ଟା ୩୦ରେ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡୀୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ୧୦ଟା୫୦ରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀର ଉଦ୍ଘାଟନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ ।

ଏହାପରେ ଶରଧାବାଲିରୁ ପୁରୀ ହେଲିପ୍ୟାଡ୍ ଅଭିମୁଖେ ଦିନ ୧୨ଟା ୧୫ରେ ବାହାରିବେ । ୧୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧୨ଟା ୫୫ରେ ସ୍ୱତନ୍ତ୍ର ବିମାନରେ ବିଶାଖାପାଟଣା ଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିବେ । ସେପଟେ ଗୌଡୀୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସିଛନ୍ତି ।