୨୦୨୩-୨୪ ବଡ଼ ବଜେଟ୍, ୨ଲକ୍ଷ ୩୦ ହଜାର କୋଟି ଟଙ୍କା

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି  ବଡ଼ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆକାର ୨ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ୩୦ ହଜାର ୩୦ କୋଟି, ସ୍ବାସ୍ଥ୍ୟ କ୍ଷେତ୍ରରେ ୧୬ ହଜାର ୪୮ କୋଟି , ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବଜେଟ୍ ଓ ବାହ୍ୟ ଉତ୍ସ ସୂତ୍ରରୁ ୧୩ ହଜାର ୨୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିଭଳି ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୩୮ ହଜାର ୪୩୭ କୋଟି ଟଙ୍କା ଏବଂ ସଡ଼କ, ସେତୁ, ବିମାନବନ୍ଦର, ରେଳପଥ ବିକାଶ ପାଇଁ ୧୯ ହଜାର ୪୫୨ କୋଟି ଟଙ୍କା  ପୁଞ୍ଜିନିବେଶ କରାଯିବ। ଅନୁରୂପ ଭାବେ ସରକାର ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗର ବଜେଟ୍‌ (୬୨୨୪ କୋଟି) ୧୨% ବୃଦ୍ଧି କରିଛନ୍ତି।ଚଳିତବର୍ଷ ମୋଟ ରାଜସ୍ବ ପ୍ରାପ୍ତି ୧ଲକ୍ଷ ୮୪ ହଜାର ୫୦୦ କୋଟି ଟଙ୍କା ହେବ। ରାଜସ୍ବ ବ୍ୟୟ ପରିମାଣ ୧ଲକ୍ଷ ୫୭ ହଜାର ୭୬୧.୪୪ କୋଟି ଟଙ୍କାରେ ରହିବ। ଅତଏବ ୨୬ ହଜାର ୭୩୮.୫୬ କୋଟି ଟଙ୍କା ରାଜସ୍ବ ବଳକା ହିସାବ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ରାଜସ୍ବ ବଳକା ଜିଏସ୍‌ଡିପି (ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ)ର ୩.୧% ଭିତରେ ରଖିବା ଲାଗି ଆକଳନ କରାଯାଇଥିବା ବେଳେ ବିତ୍ତୀୟ ନିଅଣ୍ଟ ୨୫ ହଜାର ୮୪୪ କୋଟି ଟଙ୍କା ବା ଜିଏସଡିପିର ୩% ମଧ୍ୟରେ ରହିବ।