ଅରୁଣାଚଳ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ
ଅରୁଣାଚଳପ୍ରଦେଶର ସୀମାରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି । ଏଲ୍ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିବା ବେଳେ କିଛି ସୈନିକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଥିବା ବେଳେ ଏହି ଖବର ସାମ୍ନାକୁ ଆସିଛି। ଚୀନ୍ ସୈନିକମାନେ ପ୍ରଥମେ ଏଲ୍ଏସି ଅତିକ୍ରମ କରିବାପରେ ଭାରତୀୟ ସୈନିକମାନେ ସେମାନଙ୍କୁ ବିରୋଧ କରିବା ପରେ ସଂଘର୍ଷ ହୋଇଥିବା କୁହାଯାଉଛି ।
ସଂଘର୍ଷ ପରେ ଉଭୟ ଭାରତ ଏବଂ ଚୀନ୍ ତୁରନ୍ତ ଏହି ସ୍ଥାନରୁ ସେନା ପ୍ରତ୍ୟାହାର କରିନେଇଥିଲେ। ଏହି ଘଟଣା ପରେ ଭାରତୀୟ କମାଣ୍ଡର ସମ୍ପୃକ୍ତ ଅଞ୍ଚଳରେ ତାଙ୍କ ପ୍ରତିପକ୍ଷଙ୍କ ସହ ଏକ ଫ୍ଲାଗ୍ ବୈଠକ କରିଥିଲେ। ତାୱଙ୍ଗ ସେକ୍ଟର ସ୍ଥିତ ଏଲ୍ଏସି ନିକଟ କିଛି ଅଞ୍ଚଳକୁ ଉଭୟ ଭାରତ ଏବଂ ଚୀନ୍ ନିଜର ଅଂଚଳ ଭାବେ ଦାବି କରିଆସୁଛନ୍ତି ।