ସଞ୍ଜୟ ଦାଶବର୍ମାଙ୍କ ପଛରେ ଷଡ଼ଯନ୍ତ୍ରକାରୀ ଲାଗିଛନ୍ତି!
ପୁରୀ: ବିଜେଡିରେ କିଛି ଠିକଠାକ ଚାଲିନାହିଁ କି? ଧାମନଗରରେ ବିଜେଡି ପ୍ରାର୍ଥୀ ହାରିବା ପରେ ଦଳରେ ଆଗାମୀ ଦିନରେ କିଛି ପ୍ରାର୍ଥୀଙ୍କ ଟିକେଟ କଟିବ କି ? ଏବେଠୁ ସେପରି କିଛି ଦଳ ଭିତରେ ଚାଲିଛି କି ? କାରଣ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କ ବକ୍ତବ୍ୟରେ ଏପରି କିଛି ଗନ୍ଧ ବାହାରୁଛି ।
ସଂଜୟ ତାଙ୍କ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ କହିଛନ୍ତି ତାଙ୍କ ପଛରେ ଷଡ଼ଯନ୍ତ୍ର କରାଯାଉଛି । ନବନୀ ପଟ୍ଟନାୟକ ତାଙ୍କୁ ପଦ ପଦବୀ ଦେଇଥିବା ଏବେ ଏବେ ପରିସ୍ଥିତି ବଦଳିଯାଇଛି । ସେ କହିଛନ୍ତି ‘କିଛି ବିଦେଶୀ ଶକ୍ତି ଓଡ଼ିଶା ମାଟିରେ ସକ୍ରିୟ ହୋଇ ଉଠିଛନ୍ତି। କିଛିଲୋକ ଭାବୁଛନ୍ତି ଆମେ ଯାହା କହିବୁ, ଯାହା ନିଷ୍ପତ୍ତି ନେବୁ, ସମେସ୍ତ ତାକୁ ଗ୍ରହଣ କରିନେବେ। କିନ୍ତୁ ଆମେ ଯେଉଁମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବାଭିମାନ ସହିତ ଆନ୍ଦୋଳନରେ ବ୍ରତୀ ଥିଲୁ, ମରିଯିବୁ ସିନା ସାଲିସ୍ ରାଜନୀତି କରିବୁ ନାହିଁ। ବିଶେଷ କରି ଦାସବର୍ମା କହିଛନ୍ତି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ପ୍ରତି ଏହି ଶକ୍ତି ଯେଉଁ ଷଡ୍ଯନ୍ତ୍ର ଚଳାଇଛନ୍ତି, ତାହା କେବେ ବି ସଫଳ ହେବନାହିଁ। ଆମେ ଏହାର ଉଚିତ ଜବାବ ଦେବୁ।’ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଏଭଳି ବିସ୍ଫୋରକ ବୟାନ ବିଜେଡି ଦଳରେ ଭୂକମ୍ପନ ସୃଷ୍ଟି କରିଛି । କିଛି ଦିନ ହେଲା ଦାସବର୍ମା ଦଳରେ କୋଣଠେସା ହୋଇ ଅଛନ୍ତି । କୌଣସି ପଦପଦବିରେ ନାହାନ୍ତି। ଆଗାମୀ ନିର୍ବାଚନରେ ସେ ବିଧାୟକଭାବେ ଲଢ଼େଇ କରିବେ ବୋଲି ଏବେଠାରୁ ସୂଚନା ଦେଇଛନ୍ତି । ତେବେ ତାଙ୍କୁ ଟିକେଟ ମିଳିବ କି ନାହିଁ ସନ୍ଦେହ ରହିଥିବା ଚର୍ଚା ହେଉଛି । ଶ୍ରୀ ଦାସବର୍ମା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ସଦର ବ୍ଲକ୍ରେ ଜନସମ୍ପର୍କ ପଦଯାତ୍ରା କରୁଛନ୍ତି । ସଦର ବ୍ଲକ୍ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ମାଳିସାହି ପଡ଼ିଆରେ ଆୟୋଜିତ ଶେଷ ଜନସମ୍ପର୍କ ପଦଯାତ୍ରାରେ ଶ୍ରୀ ଦାସବର୍ମା ଯେଉଁ ବିସ୍ଫୋରକ ବୟାନ ରଖିଛନ୍ତି, ତାହାକୁ ନେଇ ସାରା ରାଜ୍ୟରେ ଚର୍ଚା ହେଉଛି ।
ସେ ଆହୁରି କହିଛନ୍ତି ଯେ ଭୁବନେଶ୍ବରରୁ ଷଡ଼ଯନ୍ତ୍ର ହୋଇ ବ୍ରହ୍ମଗିରିର ପଂଚାୟତରେ ଷଡ଼ଯନ୍ତ୍ର ପହଁଚିବାକୁ ଚେଷ୍ଟା ଚାଲିଛି । ଆମକୁ ଏ ଷଡ୍ଯନ୍ତ୍ରକୁ ପରାହତ କରିବାକୁ ପଡ଼ିବ।’ ଏଥିସହିତ, ‘ ମୁଁ ବ୍ରହ୍ମଗିରିରେ ସ୍ବାଭିମାନକୁ ବଞ୍ଚାଇ ରଖିବାପାଇଁ ଶେଷପର୍ଯ୍ୟନ୍ତ ସଂଘର୍ଷ କରିବି। ସମୟ ଆସିଛି ଆମକୁ ସତର୍କ ରହିବାକୁ ପଡ଼ିବ,’ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ତେବେ କିଏ ସେ ଷଡ଼ଯନ୍ତ୍ର କରୁଛି କଣ ପାଇଁ କରୁଛି ତାହା ସେ ସ୍ପଷ୍ଟ କରିନାହାଁନ୍ତି । ବିଜେଡି ମଧ୍ୟ ତାଙ୍କର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିନାହିଁ ।