ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୧୫ ସୂତ୍ରୀ ଯୁଦ୍ଧବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଇରାନ
ଇରାନ୍ ଏବଂ ଆମେରିକା ମଧ୍ୟ ଜାରି ଯୁଦ୍ଧ ବନ୍ଦ କରିବା ଲାଗି ମଧ୍ୟସ୍ଥତା କରୁଛି ପାକିସ୍ତାନ । ହେଲେ ପାକିସ୍ତାନର ଯୁଦ୍ଧବିରତି ପ୍ରସ୍ତାବ ଇରାନର ନେତୃତ୍ବଙ୍କୁ ପସନ୍ଦ ଆସୁନାହିଁ । ଏହା ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ କହିଥିଲେ, ଆମେ ଇସ୍ଲାମାବାଦ ଯିବାକୁ ପ୍ରସ୍ତୁତ ଅଛୁ । କିନ୍ତୁ ଏବେ ଇରାନ୍ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୧୫ ସୂତ୍ରୀ ଯୁଦ୍ଧବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଆମେରିକାକୁ ସୁହାଇଲା ଭଳି ପାକିସ୍ତାନର ଏହି ପ୍ରସ୍ତାବୁ ମାନିବାକୁ ରାଜି ହୋଇନାହାନ୍ତି ଇରାନର ନେତା ।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ, ମଧ୍ୟସ୍ଥିଙ୍କ ମାଧ୍ୟମରେ ପଠାଯାଇଥିବା ଶାନ୍ତି ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ଯେକୌଣସି ଅସ୍ତ୍ରବିରତି ଆଲୋଚନା ଏହାର ଜାତୀୟ ସ୍ୱାର୍ଥକୁ ଧ୍ୟାନରେ ରଖି କରାଯିବ ବୋଲି ଇରାନ ନିଜର ଦାବି ଦୋହାରାଇଛି ।
୪୫ ଦିନିଆ ଯୁଦ୍ଧବିରତି ପ୍ରସ୍ତାବ
ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଇରାନ ଏବଂ ଆମେରିକା ଉଭୟ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଏକ ଡ୍ରାଫ୍ଟ ପ୍ରସ୍ତାବ ପାଇଥିଲେ। ଏଥିରେ ଯୁଦ୍ଧ ସମାପ୍ତ କରିବାର ଉପାୟ ଖୋଜିବା ପାଇଁ ୪୫ ଦିନିଆ ଯୁଦ୍ଧବିରତି ଏବଂ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ କୁହାଯାଇଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍ ବାଘାଇ କହିଛନ୍ତି ଯେ, ତେହେରାନ ପୂର୍ବରୁ ନିଜର ସ୍ଥିତି ଏବଂ ସର୍ତ୍ତାବଳୀ ଜଣାଇସାରିଛି।
ସେ କହିଛନ୍ତି ଯେ, ଇରାନ ଆଲୋଚନା ପାଇଁ କୌଣସି ଚାପ କିମ୍ବା ଧମକ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଇସମାଇଲ ବାଘାଇ କହିଛନ୍ତି, ‘ସମୟସୀମା ଏବଂ ଯୁଦ୍ଧର ଧମକ, ଆଲୋଚନାଣ ସର୍ତ୍ତବାଳୀଠୁ ଭିନ୍ନ । ତେହେରାନର ଜାତୀୟ ସ୍ୱାର୍ଥ ଉପରେ ଆଧାରିତ କିଛି ସର୍ତ୍ତ ରହିଛି, ଏଥିରେ କୌଣସି ପ୍ରକାର ସାଲିସ କରାଯାଇ ପାରିବ ନାହିଁ ବୋଲି ବାଘାଇ କହିଛନ୍ତି ।