ହେନ୍ତାଳବନରେ ବୃକ୍ଷରୋପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ‘ଜି୨୦’ର ଅନ୍ୟ ନେତାମାନେ ହେନ୍ତାଳବନକୁ ଯାଇ ବୃକ୍ଷରୋପଣ କରିଛନ୍ତି। ହେନ୍ତାଳବନରେ ଥିବା ବୃକ୍ଷ ଓ ଗୁଳ୍ମ ଆଦି ସଂରକ୍ଷଣ କରିବା ପାଇଁ ଏହା ଥିଲା ଇଣ୍ଡୋନେସିଆ ସରକାରଙ୍କର ପ୍ରଚେଷ୍ଟା ପ୍ରଦର୍ଶନର ଅଂଶବିଶେଷ। ଶିଖର ସମ୍ମିଳନୀର ଦ୍ବିତୀୟ ଦିବସର ଚୂଡ଼ାନ୍ତ ଅଧିବେଶନ ଆରମ୍ଭ ପୂର୍ବରୁ ‘ଜି୨୦’ର ନେତାମାନେ ହେନ୍ତାଳବନ ପରିଦର୍ଶନ କରିଛନ୍ତି।

 ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱ ନେତୃବୃନ୍ଦଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ, କୋଭିଡ ମହାମାରୀ ଏବଂ ୟୁକ୍ରେନ ସଙ୍କଟର ସମାଧାନ ଉପରେ ଗୁରୁତ୍ୱାରୋପ କରି ଏହାକୁ ନିକଟ ଅତୀତରେ ବିଶ୍ୱର ସବୁଠୁ ବଡ଼ ସମସ୍ୟା ବୋଲି ବର୍ଣ୍ଣନା କରିଛନ୍ତି । ଏହି ସମସ୍ୟାର ମୁକାବିଲା କରିବାରେ ବିଫଳ ହୋଇଥିବାରୁ ସେ ଜାତିସଂଘକୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜାତିସଂଘ ପରି ବହୁପକ୍ଷୀୟ ଅନୁଷ୍ଠାନ ଏହି ପ୍ରସଙ୍ଗରେ ବିଫଳ ହୋଇଛନ୍ତି ବୋଲି ଆମେ ସ୍ୱୀକାର କରିବାକୁ ଦ୍ୱିଧା କରିବା ଉଚିତ ନୁହେଁ ।

ମୋଦି କହିଛନ୍ତି ଯେ ବିଶ୍ୱ ଯୋଗାଣ ଶୃଙ୍ଖଳ ଧ୍ୱଂସ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପ୍ରତ୍ୟେକ ଦେଶର ଗରିବ ନାଗରିକମାନେ କଠିନ ସମସ୍ୟା ଦେଇ ଗତି କରୁଛନ୍ତି ।

କୋଭିଡ ମହାମାରୀ କାଳରେ ଭାରତ ଏହାର ୧୩୦ କୋଟି ଲୋକଙ୍କ ନିମନ୍ତେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଥିଲା । ତା’ସହ ଆବଶ୍ୟକ କରୁଥିବା ଦେଶକୁ ମଧ୍ୟ ଖାଦ୍ୟଶସ୍ୟ ଯୋଗାଇ ଦେଇଥିଲା । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତରେ ସ୍ଥାୟୀ ଓ ନିରନ୍ତର ଖାଦ୍ୟ ସୁରକ୍ଷା ନିମନ୍ତେ ଆମେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେଉଛୁ ଏବଂ ମିଲେଟ୍‌ ଭଳି ପୁଷ୍ଟିକର ତଥା ପାରମ୍ପରିକ ଖାଦ୍ୟଶସ୍ୟ ପୁଣି ଲୋକପ୍ରିୟ କରାଉଛୁ । ୨୦୩୦ ସୁଦ୍ଧା ଭାରତର ବିଦ୍ୟୁତ୍‌ ଉତ୍ପାଦନର ଅଧା ଅକ୍ଷୟ ଶକ୍ତି ଉତ୍ସରୁ ହେବ । ସାମଗ୍ରିକ ଶକ୍ତି ନିମନ୍ତେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସମୟୋପଯୋଗୀ ତଥା କମ୍‌ ବ୍ୟୟସାପେକ୍ଷ ଆର୍ଥିକ ସହାୟତା ଓ ନିରନ୍ତର ପ୍ରଯୁକ୍ତି ପ୍ରଦାନ କରାଯିବା ଆବଶ୍ୟକ ।