ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଅନେକ ପ୍ରଚାର କରିବା ସତ୍ତ୍ବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରିନାହିଁ। ଗତ କିଛି ମାସ ହେବ ଅନେକ ଦେଶ ମଧ୍ୟରେ ଯୁଦ୍ଧର ସମାପ୍ତି କରି ଶାନ୍ତି ଆଣିଥିବା ଦାବି କରିଆସୁଥିବା କହୁଥିଲେ ଟ୍ରମ୍ପ। ଏହା ସହ ସେ ହିଁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ଦାବି କରୁଥିଲେ ଟ୍ରମ୍ପ। ହେଲେ ଆଜି ତାଙ୍କର ସେ ସ୍ବପ୍ନ ଭାଙ୍ଗିଯାଇଛି। ତ‌ାଙ୍କ ପରିବର୍ତ୍ତେ ନୋବେଲ କମିଟି ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଛି।

ଭେନେଜୁଏଲାରେ ଗଣତନ୍ତ୍ର ଏବଂ ମାନବାଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ଏକଛତ୍ରବାଦୀ ଶାସନର ଅନ୍ତ ଘଟାଇବା ପାଇଁ ଏକ ଶାନ୍ତିପୂର୍ଣ୍ଣ ସଂଘର୍ଷର ନେତୃତ୍ୱ ନେଇଥିବାରୁ ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମାରିଆଙ୍କୁ ଭେନେଜୁଏଲାର ‘ଆଇରନ୍ ଲେଡି’ ବୋଲି କୁହାଯାଏ।

ଘୋଷଣା କରିବା ସମୟରେ ନୋବେଲ କମିଟି କହିଛି ଯେ, “ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବାରେ ମାଚାଡୋଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ତାଙ୍କୁ ଏହି ସ୍ୱୀକୃତି ଦେଉଛି।”

ବିଶ୍ୱ ଶାନ୍ତି, ମାନବାଧିକାର ଏବଂ ସଂଘର୍ଷ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା ବ୍ୟକ୍ତି କିମ୍ବା ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଏ। ଏହି ବର୍ଷ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ପାଇଁ ଦୌଡ଼ରେ ଥିଲେ, କିନ୍ତୁ ସେ ଅଳ୍ପକେ ପୁରସ୍କାର ପାଇବାରୁ ବଞ୍ଚିତ ହୋଇଛନ୍ତି।

ଏହି ଘୋଷଣା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, “ମୁଁ ୮ଟି ଯୁଦ୍ଧ ବନ୍ଦ କରିଛି, ଯାହା ଏହା ପୂର୍ବରୁ କେବେ ହୋଇନାହିଁ। କିନ୍ତୁ ନୋବେଲ କମିଟିକୁ ଯାହା କରିବାର ଥିବ ସେ କରିବେ। ସେମାନେ ଯାହା କରନ୍ତି ତାହା ଠିକ୍ । ମୁଁ କୌଣସି ପୁରସ୍କାର ପାଇଁ ଯୁଦ୍ଧ ବନ୍ଦ କରିନାହିଁ। ମୁଁ ଅନେକ ଜୀବନ ବଞ୍ଚାଇବାକୁ ଏଭଳି କରିଛି। ”

ଏହା ସହ ସେ ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମାଙ୍କୁ ଦିଆଯାଇଥିବା ନୋବେଲ୍ ପୁରସ୍କାର ଉପରେ ନିଜର ପ୍ରତିକ୍ରିୟା ଦେଇଥିଲେ। “ସେ କିଛି ନ କରିବା ସତ୍ତ୍ବେ ବି ପୁରସ୍କାର ପାଇଛନ୍ତି। ସେ ନିର୍ବାଚିତ ହେବା ପରେ ନୋବେଲ କମିଟି ଓବାମାଙ୍କୁ କେବଳ ଆମ ଦେଶକୁ ନଷ୍ଟ କରିବା ପାଇଁ ପୁରସ୍କାର ଦେଇଦେଲେ। ଓବାମା ଜଣେ ଭଲ ରାଷ୍ଟ୍ରପତି ନଥିଲେ” ବୋଲି ସେ କହିଥିଲେ।

Leave a comment