କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଅନେକ ବର୍ଷ ପୁରୁଣା- ଟ୍ରମ୍ପ
ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଅନେକ ବର୍ଷ ପୁରୁଣା । କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ଏଭଳି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରତିକ୍ରିୟା ଦେଇ, ପହଲଗାମ ଆତଙ୍କୀ ହମଲାକୁ ନିନ୍ଦା କଲେ ଟ୍ରମ୍ପ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ୨୬ ନିରୀହ ପର୍ୟ୍ୟଟକଙ୍କୁ ହତ୍ୟା କରିବା ଘଟଣାକୁ କଡା ଭାଷାରେ ନିନ୍ଦା କରିବା ସହ ଏହାକୁ ଭୟଙ୍କର ଏବଂ ଭୟାନକ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ସହ ତାଙ୍କର ଭଲ ସମ୍ପର୍କ ରହିଛି । ସେ ଭାରତ ସହ ଯେତିକି ଘନିଷ୍ଠ ପାକିସ୍ତାନ ସହ ମଧ୍ୟ ସେତିକି ଘନିଷ୍ଠ । ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ଅନେକ ବର୍ଷ ଧରି ବିବାଦ ଲାଗି ରହିଛି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ସବୁବେଳେ ଉତ୍ତେଜନା ଲାଗିରହେ । ମୁଁ ଦୁଇ ଦେଶର ନେତାଙ୍କୁ ଜାଣେ, ସେମାନେ ଏକାଠି ହୋଇ ଏହି ବିବାଦର ସମାଧାନ କରିପାରିବେ ବୋଲି ବିଶ୍ବାସ ରହିଥିବା କହିଛନ୍ତି ଟ୍ରମ୍ପ । ତେବେ ଇତିହାସକୁ ନେଇ ଟ୍ରମ୍ପଙ୍କ ବୟାନକୁ ନାପସନ୍ଦ କରିଛନ୍ତି ଭାରତର ନେତାମାନେ ।