ବଢିପାରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରାମ
ହର୍ମୁଜ ପ୍ରଣାଳୀରେ ଆମେରିକାର ନାକାବନ୍ଦୀ ମଧ୍ୟରେ ଇରାନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ସାମାନ୍ୟ ନରମ ପଡିଥିବା ଦେଖା ଯାଉଛି। ପାକିସ୍ତାନ ଓ ଇରାନ ମଧ୍ୟରେ ପୁଣି ସାକ୍ଷାତ ଆଲୋଚନା ଖବର ମଧ୍ୟରେ ଏବେ ନୂଆ ରିପୋର୍ଟ ସାମ୍ନାକୁ ଆସୁଛି। ଏଥିରୁ ଜଣାପଡୁଛି ଯେ ୱାସିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧ ବିରାମ ଆହୁରି ୨ ସପ୍ତାହ ଲାଗି ବଢା ଯାଇପାରେ। ଆମେରିକା ଓ ଇରାନ ମଧ୍ୟରେ ହର୍ମୁଜ ଓ ଆଣବିକ ପ୍ରସଙ୍ଗକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ହେଲେ ଏବେକା ଘଟଣାକ୍ରମରୁ ପରିସ୍ଥିତିକୁ ଶାନ୍ତ କରିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରାମ ବଢାଇବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ମଧ୍ୟସ୍ଥଙ୍କ ଉଦ୍ୟମ ଯୋଗୁ ଏ ଦିଗରେ ସଫଳତା ମିଳିଛି। ଏଣୁ ଏହା ଆଶା କରାଯାଉଛି ଆମେରିକା ଓ ଇରାନ ଉଭୟ ଯୁଦ୍ଧବିରାମ ବଢାଇବା ପାଇଁ ସେମାନଙ୍କ ସହମତି ଦେଇଛନ୍ତି। ଯଦି ଦୁଇ ଦେଶଙ୍କ ମଧ୍ୟରେ ପୁଣି ଆଲୋଚନା ଆରମ୍ଭ ହୁଏ ତେବେ ଏଜେଣ୍ଡାରେ ୩ଟି ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଅନୁମାନ କରାଯାଉଛି। ଏଥିରୁ ପ୍ରଥମ ପ୍ରସଙ୍ଗଟି ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ ହୋଇଥିବା ବେଳେ ଦ୍ୱିତୀୟଟି ହର୍ମୁଜ ଓ ତୃତୀୟ ଯୁଦ୍ଧ ଜନିତ କ୍ଷୟକ୍ଷତି ଭରଣା ବୋଲି ଅନୁମାନ କରାଯାଉଛି।
ଯୁଦ୍ଧବିରାମର ସଂକେତ ଦେଇଥିଲେ ଟ୍ରମ୍ପ
ଏହା ପୂର୍ବରୁ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଇରାନ ସହ ସଂଘର୍ଷ ଏବେ ସମାପ୍ତିର ଆଖପାଖରେ ପହଞ୍ଚିଛି। ସେ ଜୋର ଦେଇ କହିଛନ୍ତି ଯେ ଏହି ମୋଡରେ ଯଦି ସେ ପଛକୁ ହଟନ୍ତି ଇରାନକୁ ପୁଣି ନିଜ ଗୋଡରେ ଛିଡା ହେବାକୁ ୨୦ ବର୍ଷ ଲାଗିଯିବ। ଟ୍ରମ୍ପଙ୍କ ଏହି ଟିପ୍ପଣୀ ଆମେରିକା ସେଣ୍ଟ୍ରାଲ କମାଣ୍ଡର ଏକ ବୟାନର କିଛି ଘଣ୍ଟା ପରେ ଆସିଥିଲା। ଯେଉଁଥିରେ ଘୋଷଣା କରାଯାଇଥିଲା ଯେ ନାକାବନ୍ଦୀ ପୂର୍ବ ୨୪ ଘଣ୍ଟା ମଧ୍ୟରେ ଇରାନ ବନ୍ଦର ଓ ଉପକୂଳରେ ହେଉଥିବା ସାମୁଦ୍ରିକ ଯାତାୟାତକୁ ସଫଳତା ପୂର୍ବକ ରୋକି ଦିଆଯାଇଥିଲା।
ଇରାନ ପ୍ରସଙ୍ଗରେ ଚୀନ୍ କୁ ପତ୍ର ଲେଖିଛନ୍ତି ଟ୍ରମ୍ପ
ନିକଟରେ ଟ୍ରମ୍ପ ଇରାନ ପ୍ରସଙ୍ଗରେ ଚୀନ ସହ ବି କଥା ହୋଇଥିଲେ। ସେ କହିଛନ୍ତି ଯେ ମୁଁ ସି ଜିନପିଙ୍ଗଙ୍କୁ ଏକ ପତ୍ର ଲେଖି ତାଙ୍କୁ ଅନୁରୋଧ କରିଥିଲି ଯେ ଇରାନକୁ ଅସ୍ତ୍ର ଶସ୍ତ୍ର ଯୋଗାଣ ନ କରନ୍ତୁ। ଏହାର ଜବାବରେ ଜିନପିଙ୍ଗ ମଧ୍ୟ ମୋତେ ପତ୍ର ଲେଖିଛନ୍ତି ଓ ଆଶ୍ୱାସନ ଦେଇଛନ୍ତି ଯେ ସେ ଏ ପରି କିଛି କରୁ ନାହାନ୍ତି। ଯଦି ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଅଛି ତେବେ ଆମକୁ କିଛି ସମୟ ପର୍ଯ୍ୟନ୍ତ ସେହି ବାସ୍ତବିକତାକୁ ବିଶ୍ୱାସ କରିବାକୁ ପଡିବ। ଟ୍ରମ୍ପ କହିଛନ୍ତି ଯେ ମୁଁ ନିଜେ ଜାଣିପାରୁନି ସେମାନେ କେଉଁ ପର୍ଯ୍ୟନ୍ତ ଆମ ଆଗରେ ଟିକି ରହିପାରିବେ।