ବିଭିନ୍ନ ସରକାରୀ ପ୍ରକଳ୍ପରେ ନିଜ ନାମ ଯୋଡ଼ିବା ନେଇ ଟ୍ରମ୍ପ ଦେଲେ ବଡ଼ ମନ୍ତବ୍ୟ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଡିସିରେ ନିର୍ମାଣ ହେଉଥିବା ବିଭିନ୍ନ ସରକାରୀ ପ୍ରକଳ୍ପରେ ନିଜ ନାମ ଯୋଡ଼ିବା ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ, ନିଜର ରାଜନୈତିକ ଓ ଐତିହାସିକ ପ୍ରଭାବକୁ ବଜାୟ ରଖିବା ପାଇଁ ସେ ଏପରି କରୁଛନ୍ତି। ‘ନ୍ୟୁୟର୍କ ମ୍ୟାଗାଜିନ୍’କୁ ଦେଇଥିବା ଏକ ସାକ୍ଷାତକାରରେ ଏକ ‘ବିଜୟ ତୋରଣ’ ସମ୍ପର୍କରେ ପଚରାଯିବାରୁ ଟ୍ରମ୍ପ କହିଛନ୍ତି, ‘ମୁଁ ଏଠାରୁ ଚାଲିଗଲା ପରେ କେହି ଏପରି କାମ କରିବେ ନାହିଁ, ସେଥିପାଇଁ ମୁଁ ନିଜେ ଏହା କରୁଛି।”
ୱାଶିଂଟନ୍ରେ ଟ୍ରମ୍ପ ଆରମ୍ଭ କରିଥିବା ବହୁ ବିବାଦୀୟ ପ୍ରକଳ୍ପ ମଧ୍ୟରୁ ଏହି ବିଜୟ ତୋରଣ ଅନ୍ୟତମ। ଏହା ସହିତ ହ୍ୱାଇଟ୍ ହାଉସର ଏକ ବିଶାଳ ବଲରୁମ୍ (Ballroom) ନିର୍ମାଣକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଏହି ସବୁ ନିର୍ମାଣ କାର୍ଯ୍ୟ ଓ ନିଜ ନାମକରଣକୁ ନେଇ ସମାଲୋଚନା ହେଉଥିଲେ ବି ଟ୍ରମ୍ପ କହିଛନ୍ତି ଯେ, ଏହିସବୁ ଉନ୍ନତିମୂଳକ କାମ ପାଇଁ ଜନସାଧାରଣ ତାଙ୍କ ପାଖରେ କୃତଜ୍ଞ ରହିବା ଉଚିତ୍। ଅନେକ ଲୋକ ତାଙ୍କୁ ଏହି ସାକ୍ଷାତକାର ନଦେବାକୁ ପରାମର୍ଶ ଦେଇଥିଲେ ମଧ୍ୟ, ସେ ନିଜ କାର୍ଯ୍ୟକୁ ନେଇ ଗର୍ବିତ ବୋଲି ପ୍ରକାଶ କରିଛନ୍ତି।
କେନେଡି ସେଣ୍ଟରର ନାମ ବଦଳାଇ ନିଜ ନାମରେ ରଖିବା, ଗଲ୍ଫ କୋର୍ସର ନବୀକରଣ ଏବଂ ଲିଙ୍କନ ମେମୋରିଆଲ ରିଫ୍ଲେକ୍ଟିଂ ପୁଲ୍ର ନାମ ପରିବର୍ତ୍ତନ କରିବା ଯୋଗୁଁ ଟ୍ରମ୍ପ ଏବେ କେତେକ ଆଇନଗତ ମାମଲାର ସାମ୍ନା କରୁଛନ୍ତି। ତାଙ୍କ ଶାସନ କାଳର ପ୍ରମୁଖ ସଫଳତା ଯେପରିକି “ଟ୍ରମ୍ପ ଆକାଉଣ୍ଟସ୍”, “ଟ୍ରମ୍ପ-ଆରଏକ୍ସ” ଏବଂ ୧୦ ଲକ୍ଷ ଡଲାର ବିନିମୟରେ ଆମେରିକାରେ ରହିବା ପାଇଁ ଦିଆଯାଉଥିବା “ଟ୍ରମ୍ପ ଗୋଲ୍ଡ କାର୍ଡ”ରେ ମଧ୍ୟ ତାଙ୍କ ନାମ ଯୋଡ଼ାଯାଇଛି।
ଆମେରିକା ବୈଦେଶିକ ବିଭାଗ ଟ୍ରମ୍ପଙ୍କ ଫଟୋ ଥିବା ଏକ ସ୍ୱତନ୍ତ୍ର “ପାଟ୍ରିଅଟ୍ ପାସପୋର୍ଟ” ଜାରି କରିଛି। ଏହାସହ ଆମେରିକୀୟ ସେନା “ଟ୍ରମ୍ପ-କ୍ଲାସ୍” ଯୁଦ୍ଧପୋତ ଏବଂ “ୟୁଏସଏସ ଡୋନାଲ୍ଡ ଜେ. ଟ୍ରମ୍ପ” ନାମକ ବିମାନବାହୀ ଜାହାଜ ନିର୍ମାଣ କରୁଛି।
ସବୁଠାରୁ ଦାମୀ ବଲରୁମ୍ ପ୍ରକଳ୍ପ
ହ୍ୱାଇଟ୍ ହାଉସର ପୂର୍ବ ୱିଙ୍ଗ୍ (East Wing) କୁ ଭାଙ୍ଗି ସେଠାରେ ନିର୍ମାଣ କରାଯାଉଥିବା ସୁନା-ଖଚିତ ଓ ବୁଲେଟପ୍ରୁଫ୍ ବଲରୁମ୍ ଟ୍ରମ୍ପଙ୍କର ସବୁଠାରୁ ପ୍ରିୟ ଏବଂ ବ୍ୟୟବହୁଳ ପ୍ରକଳ୍ପ। ସାମ୍ନାକୁ ଆସିଥିବା ନୂଆ ନକ୍ସା ଅନୁସାରେ, ଏହି ବଲରୁମର ଭିତର ଭାଗରେ ସୁନାର ମାର୍ବଲ ପଥର ଏବଂ ବାହାର ପାଖରେ ସୁନାର ଆସ୍ତରଣ ରହିବ। ତେବେ ଏହି ବାହ୍ୟ ନକ୍ସାକୁ ପୂର୍ବରୁ କୌଣସି ସରକାରୀ ସଂସ୍ଥା ଅନୁମୋଦନ କରିନଥିଲେ।