ଟ୍ରମ୍ପଙ୍କ ରାଜନୈତିକ ଶକ୍ତି ଓ ଆଗାମୀ ଭବିଷ୍ୟତକୁ ନେଇ ନୂଆ ପ୍ରଶ୍ନ,ଉଭୟ ସଦନ ଦଖଲ କଲା ବିରୋଧୀ ଦଳ

ଆମେରିକାର ରାଜନୀତିରେ ଏବେ ବଡ଼ ଭୂକମ୍ପ ଦେଖିବାକୁ ମିଳିଛି । ୨୦୨୬ ମିଡ଼ଟର୍ମ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ଜୋରଦାର ଝଟକା ଲାଗିଛି। ଉଭୟ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଏବଂ ସିନେଟ୍ରେ ବାଜି ମାରିଛି ଡେମୋକ୍ରାଟିକ୍ ପାର୍ଟି। ଏହି ବିଜୟ ଟ୍ରମ୍ପଙ୍କ ରାଜନୈତିକ ଶକ୍ତି ଓ ଆଗାମୀ ଭବିଷ୍ୟତକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି।

ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ଟ୍ରମ୍ପଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଅସନ୍ତୋଷର ଏକ ବଡ଼ ସଙ୍କେତ ମିଳିଛି । ଯେଉଁ ରାଜ୍ୟ ଗୁଡିକ ରିପବ୍ଲିକାନ୍ ପାର୍ଟିର ଗଡ଼ ବୋଲି ପରିଚିତ ଥିଲା ସେଠି ମଧ୍ୟ ଡେମୋକ୍ରାଟ୍ସ ଚମତ୍କାର ପ୍ରଦର୍ଶନ କରିଛି । ଟେକ୍ସାସ୍, କାନସାସ୍, ଦକ୍ଷିଣ କାରୋଲିନା ଓ ଅନ୍ୟାନ୍ୟ ରାଜ୍ୟରେ ରିପବ୍ଲିକାନ୍ଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି।

ତେବେ କାହିଁକି ହାରିଲା ଟ୍ରମ୍ପଙ୍କ ଦଳ?ଗୋଟିଏ ପଟେ ବିଗତ ଦିନ ଗୁଡିକରେ ଟ୍ରମ୍ପଙ୍କ ସ୍ୱେଚ୍ଛାଚାରିତା ନୀତି ଓ ଯୁଦ୍ଧର ବିଭୀଷିକାର ସୂତ୍ରପାତ, ଯାହାକୁ ନେଇ ଆମେରିକୀୟ ବାସି ଅସନ୍ତୁଷ୍ଠ ଥିବା ଅନେକାଂଶରେ ନଜର ଆସିଛି l ଅନ୍ୟପଟେ ,ବିଶ୍ଳେଷକଙ୍କ କହିବା ଅନୁସାରେ ଆମେରିକାରେ ବଢ଼ୁଥିବା ମହଙ୍ଗା ମାଡ଼, ଇରାନ୍ ସହ ଯୁଦ୍ଧକୁ ନେଇ ଅସନ୍ତୋଷ ଏବଂ ଟ୍ରମ୍ପ ପ୍ରଶାସନର ଟାରିଫ୍ ନୀତି ନିର୍ବାଚନରେ ବଡ଼ ପ୍ରଭାବ ପକାଇଛି। ଦୈନନ୍ଦିନ ଜୀବନରେ ଦରଦାମ ବୃଦ୍ଧି ଆମେରିକୀୟ ଭୋଟରଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା। ଠିକ ସେହିଭଳି ବିଗତ ଦିନରେ ଟ୍ରମ୍ପଙ୍କ ଏହି ନୀତି ପାଇଁ ଆମେରିକୀୟ ଜନତା ”ନୋ କିଙ୍ଗ ” ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ l ଯେଉଁଠି ସାଧାରଣ ଜନତା ଟ୍ରମ୍ପଙ୍କୁ ଏକେ ଏକଛତ୍ରବାଦି ରାଜା ଭାବରେ ତୁଳନା କରିଥିଲେ ଓ ଟ୍ରମ୍ପ ଶାସନକୁ ଦୃଢ ନିନ୍ଦା କରିଥିଲେ l ଲୋକଙ୍କ କହିବା ଅନୁସାରେ ଏସବୁର ପ୍ରଭାବ ମିଡ଼ଟର୍ମ ନିର୍ବାଚନ ଉପରେ ପଡିଛି ଯେଉଁଥିପାଇଁ ରିପବ୍ଲିକାନ ପାର୍ଟିର ଶୋଚନୀୟ ପରାଜୟ ଘଟିଛି l

ରିପବ୍ଲିକାନ୍ ପାର୍ଟି ସାଂସ୍କୃତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ପ୍ରଚାର କରିଥିବା ବେଳେ ଡେମୋକ୍ରାଟ୍ସ ମହଙ୍ଗା ମାଡ଼, ଦୁର୍ନୀତି ଓ ସରକାରୀ ନୀତିକୁ ନିଜର ମୁଖ୍ୟ ପ୍ରଚାର ପ୍ରସଙ୍ଗ କରିଥିଲେ। କିନ୍ତୁ ଭୋଟରଙ୍କ ମନୋଭାବ ଶେଷରେ ଡେମୋକ୍ରାଟ୍ସଙ୍କ ସପକ୍ଷରେ ଯାଇଥିବା ଦେଖିବାକୁ ମିଳିଛି। ଯାହା ଆମେରିକାରେ ଭବିଷ୍ୟତ କ୍ଷମତା ପରିବର୍ତ୍ତନର ଏକ ବଡ ସଙ୍କେତ ଭାବରେ ଉଭା ହୋଇଛି l

ଟ୍ରମ୍ପଙ୍କ ପାଇଁ ବଢିବ ଚ୍ୟାଲେଞ୍ଜ l ଏହି ନିର୍ବାଚନ ଫଳାଫଳ ପରେ ଟ୍ରମ୍ପଙ୍କ ପାଇଁ ଆଗାମୀ ଦୁଇ ବର୍ଷର ଶାସନ ସହଜ ହେବ ନାହିଁ। କାରଣ ଆମେରିକାର ସଂସଦର ଉଭୟ ସଦନ ଏବେ ଡେମୋକ୍ରାଟ୍ସଙ୍କ ନିୟନ୍ତ୍ରଣକୁ ଯିବ। ଫଳରେ ଟ୍ରମ୍ପ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତି ଉପରେ ବିରୋଧୀ ଦଳ କଡ଼ା ନଜର ରଖିପାରିବ। ଡେମୋକ୍ରାଟ୍ସ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପର ତଦନ୍ତ ଆରମ୍ଭ କରିବା ସହ ଟ୍ରମ୍ପ ପ୍ରଶାସନର କିଛି ନିଯୁକ୍ତି ଓ ବିଲ୍କୁ ଅଟକାଇବାର କ୍ଷମତା ମଧ୍ୟ ପାଇବେ। ଏହାଦ୍ୱାରା ଟ୍ରମ୍ପଙ୍କ ରାଜନୈତିକ ନିଷ୍ପତ୍ତି ନେବାର ସ୍ୱାଧୀନତା ସୀମିତ ହୋଇପାରେ।

ପରାଜୟ ପରେ କ’ଣ କହିଲେ ଟ୍ରମ୍ପ?ନିର୍ବାଚନରେ ପରାଜୟ ପରେ ଟ୍ରମ୍ପ ନିଜକୁ ଏହି ଝଟକାରୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଯଦି ସେ ନିଜେ ବାଲଟ୍ରେ ଥାଆନ୍ତେ, ତେବେ ରିପବ୍ଲିକାନ୍ ପାର୍ଟି ବିପୁଳ ବିଜୟ ହାସଲ କରିଥାଆନ୍ତା। ଅନ୍ୟପଟେ, ଡେମୋକ୍ରାଟ୍ସଙ୍କ ବିଜୟକୁ ସେ ସ୍ୱୀକାର କରିବା ସହ କିଛି ପ୍ରସଙ୍ଗରେ ମିଶି କାମ କରିବାର ସଙ୍କେତ ଦେଇଛନ୍ତି। ତେବେ ଡେମୋକ୍ରାଟ୍ସଙ୍କ ଆଣିଥିବା କିଛି ବିଲ୍କୁ ଭିଟୋ କରିବାର ଚେତାବନୀ ମଧ୍ୟ ଦେଇଛନ୍ତି।

ତେବେ ଏହି ବିଜୟ ଡେମୋକ୍ରାଟିକ୍ ପାର୍ଟି ପାଇଁ ୨୦୨୮ ରାଷ୍ଟ୍ରପତି ନିର୍ବାଚନର ରାସ୍ତାକୁ ମଧ୍ୟ ସୁଗମ କରିପାରେ। ଅନ୍ୟପଟେ, ରିପବ୍ଲିକାନ୍ ପାର୍ଟି ଭିତରେ ଟ୍ରମ୍ପଙ୍କ ନେତୃତ୍ୱ ଓ ତାଙ୍କ ରାଜନୈତିକ ରଣନୀତିକୁ ନେଇ ଚର୍ଚ୍ଚା ଜୋର୍ ଧରିବା ସମ୍ଭାବନା ରହିଛି। ତାସାହିତ ଆଗାମୀ ଦିନରେ ନିଜର ରାଜନୀତିକ ଅସ୍ତିତ୍ୱ ଓ ଲୋକପ୍ରିୟତାକୁ ବଜାଇ ରଖିବାକୁ ଟ୍ରମ୍ପ ପ୍ରଶାସନକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିପରେ l ଏବେ ସମସ୍ତଙ୍କ ନଜର ରହିବ, ଡେମୋକ୍ରାଟ୍ସ ଏହି ବିଜୟ ପରେ କିପରି ସଂସଦ ପରିଚାଳନା କରୁଛନ୍ତି ଏବଂ ଟ୍ରମ୍ପ କିପରି ଏହି ରାଜନୈତିକ ଚ୍ୟାଲେଞ୍ଜର ମୁକାବିଲା କରୁଛନ୍ତି।

Leave a comment